୧୦ କୋଟି ଟଙ୍କାରେ ନିଲାମ ହେବ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ଜାଭେଲିନ୍ ଏବଂ ଲୋଭଲିନାଙ୍କ ଗ୍ଲୋଭସ୍‌

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭାରତୀୟ ଅଲିମ୍ପିକ୍ସ ଖେଳାଳି ମାନଙ୍କ ଦ୍ୱାରା ଉପହାର ଭାବରେ ପ୍ରଦାନ କରିଥିବା ଉପକରଣ ଗୁଡିକର ଇ-ନିଲାମର ଆୟୋଜନ ହେଉଛି ଭାରତ ସରକାର। ଇ-ନିଲାମ ଶୁକ୍ରବାର ଠାରୁ ଆରମ୍ଭ ହୋଇ ଅକ୍ଟୋବର ୭ ପର୍ଯ୍ୟନ୍ତ ଚାଲିବ। ନିଲାମର ଦ୍ୱିତୀୟ ଦିନରେ କିଛି ଉଚ୍ଚ ଟେଣ୍ଡର ଦେଖିବାକୁ ମିଳିଥିଲା। ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ଜାଭେଲିନ୍ ଏବଂ ବ୍ରୋଞ୍ଜ ପଦକ ବିଜେତା ଲୋଭଲିନା ବୋର୍ଗୋହେନଙ୍କ ଗ୍ଲୋଭସ୍ ଉଭୟଙ୍କୁ ୧୦ କୋଟି ଟଙ୍କାର ଟେଣ୍ଡର ମିଳିଛି। ବିଶ୍ୱ ରେକର୍ଡ ଥ୍ରୋ ସହିତ ଟୋକିଓରେ ସ୍ୱର୍ଣ୍ଣ ପଦକ ଜିତିଥିବା ପାରାଲିମ୍ପିଆନ୍ ସୁମିତ ଆଣ୍ଟିଲ ମଧ୍ୟ ତାଙ୍କ ଜାଭେଲିନ୍ ପିଏମ ମୋଦୀଙ୍କୁ ଉପହାର ଦେଇଛନ୍ତି ଏବଂ ଏଥିପାଇଁ ୩ କୋଟି ଟଙ୍କାର ଟେଣ୍ଡର ମିଳିଛି।

ପିଭି ସିନ୍ଧୁଙ୍କ ବ୍ୟାଡମିଣ୍ଟନ୍ ରାକେଟ୍ ଏବଂ ବ୍ୟାଗ୍ ପରି ଅନ୍ୟ କେତେକ ସ୍ମାରକପତ୍ର, ଟୋକିଓରେ ଏକ ପ୍ରଶଂସନୀୟ ଚତୁର୍ଥ ସ୍ଥାନ ହାସଲ କରିଥିବା ଭାରତୀୟ ମହିଳା ଦଳ ଦ୍ୱାରା ସ୍ୱାକ୍ଷରିତ ଏକ ହକି ଷ୍ଟିକ୍ ମଧ୍ୟ ନିଲାମ ପ୍ରକ୍ରିୟାରେ ରହିଛି। ସିନ୍ଧୁଙ୍କ ରାକେଟ୍ ପାଇଁ ବର୍ତ୍ତମାନର ସର୍ବାଧିକ ବିଡ୍ ୨,୦୦,୨୦,୦୦୦ ଟଙ୍କା ଥିବାବେଳେ ହକି ଷ୍ଟିକ୍ ପାଇଁ ବିଡ୍ ବର୍ତ୍ତମାନ ୧,୦୦,୦୦,୫୦୦ ଟଙ୍କା ରହିଛି।

ନୀରଜ ଚୋପ୍ରାଙ୍କ ଜାଭେଲିନର ମୂଳ ମୂଲ୍ୟ ୧ କୋଟି ଟଙ୍କା ଥିବାବେଳେ ଲଭଲିନାଙ୍କ ଗ୍ଲୋଭସ୍ ପାଇଁ ପ୍ରାରମ୍ଭିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ଥିଲା। ଇ-ନିଲାମରୁ ଆୟ ଗଙ୍ଗାର ସଂରକ୍ଷଣ ଏବଂ ନବଜୀବନ ପାଇଁ ଲକ୍ଷ୍ୟ ରଖାଯାଇଥିବା ନାମାମି ଗଙ୍ଗ ମିଶନକୁ ଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି।