ନୂଆଦିଲ୍ଲୀ,ଏଜେନ୍ସି: ୟୁକ୍ରେନକୁ ଦ୍ବିତୀୟ ପର୍ଯ୍ୟାୟ ମାନବୀୟ ସହାୟତା ପଠାଇଛି ଭାରତ। ଆଜି ଭାରତୀୟ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଏହି ସହାୟତା ସାମଗ୍ରୀ ପଠାଯାଇଥିବା ବେଳେ ପୋଲାଣ୍ଡ ଜରିଆରେ ୟୁକ୍ରେନକୁ ହସ୍ତାନ୍ତର କରାଯିବ। ୟୁକ୍ରେନର ଆକାଶ ମାର୍ଗ ସମ୍ପୂର୍ଣ୍ଣ ବନ୍ଦ ରହିଥିବାବେଳେ ଏହି ସହାୟତା ସାମଗ୍ରୀ ପୋଲାଣ୍ଡରେ ପହଞ୍ଚିବ। ପରେ ସେଠାରୁ ୟୁକ୍ରେନକୁ ହସ୍ତାନ୍ତର ହେବ। ଏଥିରେ ଔଷଧ, ଚିକିତ୍ସା ଉପକରଣ ଏବଂ ଅନ୍ୟାନ୍ୟ ରିଲିଫ୍ ସାମଗ୍ରୀ ମଧ୍ୟ ରହିଛି। ପୂର୍ବରୁ ଭାରତ ପ୍ରଥମ ପର୍ଯ୍ୟାୟ ସହାୟତା ସାମଗ୍ରୀ ପଠାଇ ସାରିଥିଲା।
ଋଷର ପ୍ରବଳ ଆକ୍ରମଣରେ ୟୁକ୍ରେନ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେଠାରେ ସାଧାରଣ ଜନତା ନାନା ସମସ୍ୟା ମଧ୍ୟରେ ଗତି କରୁଛନ୍ତି। ତେଣୁ ଭାରତ ପକ୍ଷରୁ ମାନବୀୟ ସହାୟତା ସାମଗ୍ରୀ ପଠାଯିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ମଧ୍ୟ ଗାଜିଆବାଦ ସ୍ଥିତ ହିଣ୍ଡନ ଏୟାର ବେସରୁ ଏହି ସହାୟତା ରାଶି ୨ ସ୍ବତନ୍ତ୍ର ବିମାନରେ ପଠାଯାଇଥିଲା। ତେବେ ଆଜି ଦ୍ବିତୀୟ ପର୍ଯ୍ୟାୟ ସହାୟତା ରାଶି ପଠାଇଛି ଭାରତ।