ନୂଆଦିଲ୍ଲୀ,ଏଜେନ୍ସି: ୟୁକ୍ରେନ୍ରୁ ଉଦ୍ଧାର କରାଯାଇଥିବା ୧୬୦ ଜଣ ଭାରତୀୟ ଛାତ୍ର ଆଜି ଭୋର ସକାଳୁ ଏକ ସ୍ୱତନ୍ତ୍ର ବିମାନରେ ନୂଆଦିଲ୍ଲୀ ପହଞ୍ଚିଛନ୍ତି। ହଙ୍ଗେରିର ରାଜଧାନୀ ବୁଡାପେଷ୍ଟରୁ ଏହି ସ୍ୱତନ୍ତ୍ର ବିମାନ ଆସିଛି। ବୁଡୋପେଷ୍ଟରେ ଉପସ୍ଥିତ ରହି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ହଙ୍ଗେରି ଆଣିବା ପାଇଁ ୪ଟି ବସ ସୀମା ଆରପଟରୁ ପୋଲ୍ଟାଭା (ୟୁକ୍ରେନ୍) ପଠାଯାଇଛି। ଆଜି ୭ଟି ବିମାନରେ ୧୨୦୦ ଭାରତୀୟ ନାଗରିକଙ୍କୁ ପଠାଯିବ।
ରୁଷିଆ ଓ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଭାରତର ଶହ ଶହ ଲୋକ ଯୁଦ୍ଧସ୍ଥଳୀରେ ଫସିଛନ୍ତି। ଭାରତ ସରକାର ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅପରେଶନ ଗଙ୍ଗା ଅଭିଯାନ ଚଳାଇଛନ୍ତି। ଏହି ଅପରେଶନ ବଳରେ ଭାରତର ୧୫ ହଜାର ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ଫେରାଇ ଅଣାଯାଇ ସାରିଛି। ଏହି ଅପରେଶନର ସଫଳତା ପାଇଁ ୪ ଜଣ କେନ୍ଦ୍ରମନ୍ତ୍ରୀ ଏବେ ୟୁକ୍ରେନ୍ର ପଡୋଶୀ ରାଷ୍ଟ୍ରରେ ଅଛନ୍ତି। ଏଥିରେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ସାମିଲ ଅଛନ୍ତି।
କେନ୍ଦ୍ରମନ୍ତ୍ରୀ ସିନ୍ଧିଆ ଟୁଇଟ୍ କରି କହିଛନ୍ତି ଯେ, ରୋମାନିଆରୁ ୩୧ଟି ବିମାନରେ ୬୬୮୦, ପୋଲାଣ୍ଡରୁ ୧୩ଟି ବିମାନରେ ୨୮୨୨, ହଙ୍ଗେରିରୁ ୨୬ଟି ବିମାନରେ ୫୩୦୦ ଓ ସ୍ଲୋଭାକିଆରୁ ୬ଟି ବିମାନରେ ୧୧୧୮ ଜଣ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ପୁନେରେ ଯୁଦ୍ଧ ପ୍ରଭାବିତ ୟୁକ୍ରାଇନରେ ଫସିଥିବା ଲୋକଙ୍କୁ ସେଠାରୁ ଉଦ୍ଧାର କରିବା ଲାଗି ଚାଲିଥିବା ‘ଅପରେଶନ ଗଙ୍ଗା’ ସଫଳତାକୁ ନେଇ ଧନ୍ୟବାଦ ଜଣାଇଛନ୍ତି।