ଜାତୀୟ ଟୀକାକରଣ ଦିବସ ଏବଂ ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ ଅନୁଷ୍ଠିତ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଆଜି ସ୍ଥାନୀୟ ଟାଉନ ହଲଠାରେ ଜାତୀୟ ଟୀକାକରଣ ଦିବସ ଏବଂ ଜିଲ୍ଲାସ୍ତରୀୟ ଗାଁ କଲ୍ୟାଣ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସାଧନା ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଦେବଗଡ଼ ଆରକ୍ଷୀ ଅଧିକ୍ଷକ ରାଜକିଶୋର ପାଇକରାୟ, ଏଡିପିଏଚଓ ଡା. ପ୍ରଭାସ କୁମାର ଓଝା, ଡିଏମଓ ଡା. ମନୋରଞ୍ଜନ ସାମଲ, ଏଡିପିଏଚଓ ଡା. ବଂଶୀଧର ପାତ୍ର ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପରିଚାଳକ ଉମେଶ ପ୍ରାସାଦ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । ଉପସ୍ଥିତ ଅତିଥିବୃନ୍ଦ ଜିଲ୍ଲାରେ ଆଶାକର୍ମୀଙ୍କ କାର୍ଯ୍ୟ ଦକ୍ଷତାକୁ ଭୁରି ଭୁରି ପ୍ରଶଂସା କରିଥିଲେ । ପ୍ରସୂତି ମହିଳା, ଶିଶୁ-ମାତୃ ମୃତ୍ୟୁହାର ରୋକିବା, ପୋଲିଓ ଓ କରୋନା ଟୀକାକରଣ ସ୍ୱାସ୍ଥ୍ୟ ବିଭାଗର ପ୍ରତ୍ୟକ କାର୍ଯ୍ୟକ୍ରମ ସଫଳ କରିବା ପଛରେ ଆଶା ଦିଦିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଥିଲେ । ଏହି ଅବସରରେ ନିଜ ନିଜ ଅଭିଜ୍ଞତା ପ୍ରକାଶ ବେଳେ ଆଶା ଦୀଦୀମାନେ ବିଭାଗୀୟ ଉଚ୍ଚ ପଦାଧିକାରୀ ଓ ଜନସାଧାରଣ ସେମାନଙ୍କୁ ସମ୍ମାନପୂର୍ବକ ବ୍ୟବହାର ପ୍ରଦର୍ଶନ କରିବାକୁ ଅନୁରୋଧ କରିଥିଲେ ।

ସେହିପରି ଜାତୀୟ ଟୀକାକରଣ ଦିବସ ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାର ବାରକୋଟ, ରିଆମାଳ ଓ ତିଳେଇବଣି ବ୍ଲକରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଶ୍ରୀଲେଖା ପ୍ରଧାନ, ନର୍ମଦା ସେଠୀ, ସେବତୀ କୁଜୁର, ସୁକାନ୍ତି ନାଏକ, ସୁଧାରାଣୀ ଗୁରୁ ପାର୍ବତୀ ମାଝୀ ଓ ଜୟନ୍ତୀ ସାହୁଙ୍କୁ ଅତିଥିଙ୍କ ଦ୍ୱାରା ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟପଟେ ଗାଁ କଲ୍ୟାଣ ସମିତି ପକ୍ଷରୁ ସୁସ୍ଥ ପଞ୍ଚାୟତ ଭାବେ ରିଆମାଳ ବ୍ଲକର ବୁଢାପାଳ ପଞ୍ଚାୟତ, ବାରକୋଟ ବ୍ଲକ ବିଜୟନଗର ପଞ୍ଚାୟତ ଓ ତିଲେଇବଣି ବ୍ଲକର ତିଳେଇବଣି ପଞ୍ଚାୟତକୁ ୧୦ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ସୁସ୍ଥ ଗାଁ ଭାବେ ରିଆମାଳ ବ୍ଲକର କଖାରୁପାଲି, ବାରକୋଟ ବ୍ଲକର ରତନପାଲି ଓ ତିଲେଇବଣି ବ୍ଲକର ଛେପଲିପାଲି ଗାଁକୁ ଶ୍ରେଷ୍ଠ ସୁସ୍ଥ ଗାଁ ଭାବେ ୧୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ଶ୍ରେଷ୍ଠ ଆଶା ଭାବେ ବାରକୋଟ ବ୍ଲକର ସୁଷମା ନାଏକଙ୍କୁ ପ୍ରଥମ ପୁରସ୍କାର ଭାବେ ୧୧ ହଜାର ଟଙ୍କା, ଦ୍ୱିତୀୟ ପୁରସ୍କାର ଭାବେ ତିଳେଇବଣି ବ୍ଲକର ଉପସୀ ନାଏକଙ୍କୁ ୧୦ ହଜାର ଟଙ୍କା ଓ ତୃତୀୟ ପୁରସ୍କାର ରିଆମାଳ ବ୍ଲକର ତୁଳା କିସାନଙ୍କୁ ୯ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏହି ସମ୍ମିଳନୀ ପରିଚାଳନାରେ ଜିଲ୍ଲା ସ୍ୱାସ୍ଥ୍ୟ ମିଶନର ଜ୍ୟୋତ୍ସ୍ନା ଶର୍ମା, ଦେବାନନ୍ଦ ସାମଲ, ମଦନ ମୋହନ ସାମଲ ଓ ଡାକ୍ତର ନରେଶ ଚନ୍ଦ୍ର ଦାଶ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।