ଜାତୀୟ ସିନିୟର୍ ମହିଳା ହକି: ଝାଡ଼ଖଣ୍ଡକୁ ହରାଇ ଫାଇନାଲ୍‌ରେ ଓଡ଼ିଶା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଭୋପାଳଠାରେ ଚାଲିଥିବା ଦ୍ୱାଦଶ ହକି ଇଣ୍ଡିଆ ଜାତୀୟ ସିନିୟର୍ ମହିଳା ଚାମ୍ପିଅନ୍‌ଶିପ୍ ଫାଇନାଲ୍‌ରେ ପ୍ରବେଶ କରିଛି ହକି ଆସୋସିଏସନ୍ ଅଫ୍ ଓଡ଼ିଶା। ଦଳ ସୋମବାର ସେମିଫାଇନାଲ୍‌ରେ ଝାଡ଼ଖଣ୍ଡକୁ ଭେଟିଥିବା ବେଳେ ଏଥିରେ ୫-୦ର ଦମ୍‌ଦାର ବିଜୟ ହାସଲ କରିଛି। ମ୍ୟାଚ୍‌ରେ ରୋଜିତା କୁଚୁର ହ୍ୟାଟ୍ରିକ୍ ଗୋଲ୍ ଦେଇଥିବା ବେଳେ ଜାହ୍ନବୀ ପ୍ରଧାନ ଓ ଭାରତୀ ଏକ୍କା ଅନ୍ୟ ଦୁଇଟି ଗୋଲ୍ ସ୍କୋର୍ କରିଥିଲେ।

ରୋଜିତା ୨୧ତମ, ୩୬ତମ ଓ ୪୮ତମ ମିନିଟ୍‌ରେ ଗୋଲ୍‌ଗୁଡ଼ିକ ଦେଇଥିଲେ। ସେହିପରି ଜାହ୍ନବୀ ୩୫ତମ ଓ ଭାରତୀ ୬୦ତମ ମିନିଟ୍‌ରେ ଗୋଲ୍ ସ୍କୋର୍ କରିଥିଲେ। ଓଡ଼ିଶା ଆସନ୍ତା ମଙ୍ଗଳବାର ଫାଇନାଲ୍‌ରେ କର୍ଣ୍ଣାଟକକୁ ଭେଟିବ। କାରଣ ସୋମବାରର ପ୍ରଥମ ସେମିଫାଇନାଲ୍‌ରେ କର୍ଣ୍ଣାଟକ ହରିଆଣାକୁ ୨-୦ ଗୋଲ୍‌ରେ ପରାସ୍ତ କରିଛି।