ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାସ୍ଥିତ ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ତାଲୁକସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ଚଳିତ ମାସ ୯ ତାରିଖରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରାଧୀନ ମୋକଦ୍ଦମା ଯଥା ଫୌଜଦାରୀ(ସାଲିସ୍ ଯୋଗ୍ୟ), ଚେକ୍ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ମାମଲା, ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ, ଶ୍ରମ ଓ ନିଯୁକ୍ତି ବିବାଦ, ଜଳ ଓ ଅନ୍ୟାନ୍ୟ ବିଲ୍ ଦେୟଜନିତ ବିବାଦ(ସାଲିସ୍ ବିହୀନ ବିବାଦକୁ ବାଦ ଦେଇ), ବୈବାହିକ ବିବାଦ(ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ଚାକିରି ସମ୍ବନ୍ଧୀୟ (ଦରମା, ଭତ୍ତା ଓ ଅବସରକାଳୀନ ପ୍ରାପ୍ୟ) ଓ ଅନ୍ୟାନ୍ୟ ଦେୱାନୀ ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରଧୀନ ମୋକଦ୍ଦମା ନୁହେଁ, ପ୍ରାକ୍-ମୋକଦ୍ଦମାସ୍ତରୀୟ (କଚେରୀରେ ଦାୟର ହୋଇନଥିବା) ଚେକ୍ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ବିବାଦ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ ଜଳ ଓ ଅନ୍ୟାନ୍ୟ ବିଲଦେୟ ଜନିତ ବିବାଦ(ସାଲିସ୍ ବିହୀନ ବିବାଦକୁ ବାଦ ଦେଇ), ଭରଣପୋଷଣ ବିବାଦ, ଅନ୍ୟାନ୍ୟ ସାଲିସ୍ ଯୋଗ୍ୟ ଫୌଜଦାରୀ ଓ ଅନ୍ୟାନ୍ୟ ଦେୱାନୀ ମେକଦ୍ଦମା ଇତ୍ୟାଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ । ତେବେ କୋର୍ଟରେ କୌଣସି ମୋକଦ୍ଦମା ବିଚାରାଧୀନ ରହିଛି କି, ବା ଆପଣଙ୍କର କାହା ସହିତ କୌଣସି ବିବାଦ ରହିଛି, ସମ୍ପୃକ୍ତ ବିବାଦର ସହଜ ଓ ଆପୋଷ ସହମତିରେ ସମଧାନ ପାଇଁ କିମ୍ବା ସବିଶେଷ ବିବରଣୀ ନିମନ୍ତେ ବାଲିଗଡ଼ା କୋର୍ଟ ପରିସରରେ ଥିବା ତାଲୁକ ଆଇନ ସେବା କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ସମିତି ତରଫରୁ ଅନୁରୋଧ କରାଯାଇଛି ।