ଜାତୀୟ ପାରା ଆଥଲେଟିକ୍ସରେ ଜୟନ୍ତୀଙ୍କୁ ତ୍ରିପଲ୍ ସ୍ୱର୍ଣ୍ଣ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବେଙ୍ଗାଲୁରୁଠାରେ ଚାଲିଥିବା ତୃତୀୟ ଇଣ୍ଡିଆନ୍ ପାରା ଆଥଲେଟିକ୍ସ ଚାମ୍ପିଅନ୍‌ଶିପ୍‌ରେ ଓଡ଼ିଶା ପାଇଁ ୩ଟି ସ୍ୱର୍ଣ୍ଣପଦକ ଜିତିଛନ୍ତି ଜୟନ୍ତୀ ବେହେରା। ଟି-୪୭ ମହିଳା ଶହେ ମିଟର, ୨ ଶହ ମିଟର ଓ ୪ ଶହ ମିଟରରେ ଜୟନ୍ତୀ ସମସ୍ତଙ୍କୁ ପଛରେ ପକାଇ ଏକ ନମ୍ବର ସ୍ଥାନରେ ରହିଛନ୍ତି। ଶହେ ମିଟର ଦୌଡ଼ରେ ଜୟନ୍ତୀଙ୍କ ଟାଇମିଂ ୧୩.୪୪ ସେକେଣ୍ଡ୍ ରହିଥିବା ବେଳେ ୨ ଶହ ମିଟର ଦୂରତାକୁ ସେ ୨୭.୮୦ ସେକେଣ୍ଡ୍‌ରେ ଅତିକ୍ରମ କରିଥିଲେ। ସେହିପରି ୪ ଶହ ମିଟର ଦୌଡ଼ରେ ସେ ୧ ମିନିଟ୍ ୦୧ ସେକେଣ୍ଡ୍ ସମୟ ନେଇଛନ୍ତି। ଜୟନ୍ତୀଙ୍କୁ ଏପରି ସଫଳତା ପାଇଁ ଓଡ଼ିଶା ପାରା ସ୍ପୋର୍ଟ୍ସ ଆସୋସିଏସନ୍ (ପିଏସ୍‌ଏଓ) ଶୁଭେଚ୍ଛା ଜଣାଇଛି।