ନୂଆଦିଲ୍ଲୀ,ଏଜେନ୍ସି: ଆଜି ଭାରତୀୟ ନୌସେନାର ଜାହାଜ ଆଇଏନଏସ୍ ‘ସନ୍ଧ୍ୟା’ ଅବସର ନେବ। ୪୦ ବର୍ଷ ଧରି ସନ୍ଧ୍ୟା ଦେଶ ସେବାରେ ନିୟୋଜିତ ଥିଲା। ବିଶାଖାପଟନମର ନାଭାଲ ଡକୟାଡରେ ଆଇଏନଏସ ‘ସନ୍ଧ୍ୟା’କୁ ସେବାମୁକ୍ତ କରାଯିବାର କାର୍ଯ୍ୟକ୍ରମ ରହିଛି। କରୋନା ମହାମାରୀ ଯୋଗୁଁ ଏହି କାର୍ଯ୍ୟକ୍ରମରେ କେବଳ ଷ୍ଟେସନ ଅଧିକାରୀ ଓ ନାବିକ ମାନେ ସାମିଲ ହୋଇପାରିବେ। ସେହିପରି କାର୍ଯ୍ୟକ୍ରମ ମଧ୍ୟରେ କରୋନା ପ୍ରୋଟୋକଲକୁ କଡାକଡି ପାଳନ କରାଯିବ।
ସୂଚନା ଅନୁସାରେ ଏହି ଜାହାଜକୁ ତତ୍କାଳୀନ ମୁଖ୍ୟ ହାଇଡ୍ରୋଗ୍ରାଫର ଓ ରିୟର ଆଡମିରାଲ୍ ଏଫ୍.ଏଲ୍ ଫ୍ରେଜରଙ୍କ ଦ୍ୱାରା କଳ୍ପନା କରାଯାଇଥିଲା। ଫଳରେ ଭାରତରେ ଏହି ହାଇଡ୍ରୋଗ୍ରାଫିକ୍ ସର୍ବେକ୍ଷଣ ଜାହାଜର ପରିକଳ୍ପନା ଏବଂ ନିର୍ମାଣ କରାଯାଇଥିଲା। ନାଭାଲ ମୁଖ୍ୟାଳୟ ଦ୍ୱାରା ଡିଜାଇନ ଚୂଡାନ୍ତ ହେବା ପରେ, ୧୯୭୮ ମସିହାରେ ଜିଆରଏସଇ, କୋଲକାତାରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।
ଏହି ଜାହାଜଟି ଭାରତୀୟ ନୌସେନାରେ ୨୬ ଫେବୃଆରୀ ୧୯୮୧ ରେ ତତ୍କାଳୀନ ଫ୍ଲାଗ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଇଷ୍ଟର୍ଣ୍ଣ ନାଭାଲ୍ କମାଣ୍ଡ (ଇଏନସି) ତଥା ସେହି ସମୟର ଭାଇସ-ଆଡମିରାଲ୍ ଏମ୍.କେ ରୟଙ୍କ ଦ୍ୱାରା କମିଶନ କରାଯାଇଥିଲା। ଏହି ଜାହାଜ ସେବାରେ ନିବୃତ୍ତ ରହିବା ମଧ୍ୟରେ ୨୦୦ଟି ପ୍ରମୁଖ ହାଇଡ୍ରୋଗ୍ରାଫିକ୍ ସର୍ବେକ୍ଷଣ କରିଛି। ଏଥିସହିତ ଦେଶର ପୂର୍ବ-ପଶ୍ଚିମ ତଟ, ଆଣ୍ଡାମାନ ସମୁଦ୍ର ଓ ପଡ଼ୋଶୀ ଦେଶର ଅନେକ ଛୋଟ ବଡ଼ ସର୍ବେକ୍ଷଣରେ ସାମିଲ ହୋଇଛି।