ଦେବଗଡ଼,ଏନ୍ଏନ୍ଏସ୍: ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅତିଥିଭାବେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଯୋଗଦେଇ ବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ କୃମି ନାଶକ ବଟିକା ଖୁଆଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ଛାତ୍ରଛାତ୍ରୀଙ୍କୁ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ କୃମି ନାଶକ ବଟିକାର ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ୧ରୁ ୧୯ ବର୍ଷର ପିଲାଙ୍କୁ ମାଗଣାରେ କୃମି ନାଶକ ଔଷଧ ବଣ୍ଟନ କରାଯାଇଛି । ସେହିପରି ବିଦ୍ୟାଳୟ ଓ ଅଙ୍ଗନବାଡି ମାଧ୍ୟମରେ କୃମି ନାଶକ ବଟିକା ଓ ସିରଫ ମାଗଣାରେ ଦିଆଯିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ନିର୍ଦ୍ଦେଶକ ବିଶ୍ୱରଞ୍ଜନ ମଲ୍ଲିକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନରହରି ସିଂହ, ଜିଲ୍ଲା କଲ୍ୟାଣ ଅଧିକାରୀ ଡୋମିନି ଟୋପା, ଡା. ଧନୁର୍ଜୟ ମହାନ୍ତ, ଡା. ପ୍ରଭାତ କୁମାର ଓଝା, ଡିପିଏମ ଉମେଶ ପ୍ରସାଦ ଷଡ଼ଙ୍ଗୀ, ଡେପୁଟି ମ୍ୟାନେଜେର ଜ୍ୟୋସ୍ନା ଶର୍ମା, ବିଦ୍ୟାମନ୍ଦିରର ସମ୍ପାଦକ ସୌଭାଗ୍ୟ କୁମାର ନାଥ ଓ ପ୍ରଧାନଆଚାର୍ଯ୍ୟ ରଞ୍ଜନ କୁମାର ବିଶ୍ୱାଳ ପ୍ରମୁଖ ମଞ୍ଚାସିନ ଥିଲେ । ଉପସ୍ଥିତ ଅତିଥିବୃନ୍ଦ ଉକ୍ତ ଦିବସ ପାଳନର ଉଦ୍ଦେଶ୍ୟ ଓ ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ ।