ଆଜିଠୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁଖ୍ୟମନ୍ତ୍ରୀମାନଙ୍କ ସହ ୨ ଦିନିଆ ବୈଠକ

ନୂଆଦିଲ୍ଲୀ,ଏଜେନ୍ସି: ସମଗ୍ର ବିଶ୍ୱ ସମେତ ଭାରତରେ କରୋନା ଭୁତାଣୁ ଉଗ୍ରରୂପ ଧାରଣ କରିଛି। ଏହି ମଧ୍ୟରେ ମୁମ୍ବାଇ ଓ ଦିଲ୍ଲୀରେ କରୋନା ସ୍ଥିତି ଅନିୟନ୍ତ୍ରିତ ହୋଇପଡ଼ିଛି। ସେହିପରି ଗୁଜୁରାଟ, ପଶ୍ଚିମବଙ୍ଗ, ତାମିଲନାଡୁ ଓ ମଧ୍ୟପ୍ରଦେଶରେ ମଧ୍ୟ ସ୍ଥିତି ଉଦବେଗ ଜନକ ରହିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ ବାର୍ତ୍ତା ଜରିଆରେ ଆଲୋଚନା କରିବେ। କରୋନା ଭାଇରସ ଆସିବା ପରେ ମୋଦୀଙ୍କର ଏହା ୬ଷ୍ଠ ଗୁରୁତ୍ୱପୂର୍ଣ୍ଣ ବୈଠକ ଏବଂ ଏହା ଆଜି ଓ ଆସନ୍ତକାଲି ଅପରାହ୍ନ ୩ଟାରେ ଅନୁଷ୍ଠିତ ହେବ।

ସୂଚନା ଅନୁସାରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଅତିକ୍ରମ କରିସାରିଛି। କରୋନାର ପ୍ରକୋପ ନିୟନ୍ତ୍ରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଗତ ମାର୍ଚ୍ଚ ୨୪ ରେ ୨୧ ଦିନ ପାଇଁ ପ୍ରଥମ ପର୍ଯ୍ୟାୟ ଲକଡାଉନ ଘୋଷଣା କରିଥିଲେ। କିନ୍ତୁ କରୋନା ସ୍ଥିତି ଅନିୟନ୍ତ୍ରିତ ହେବାରୁ ଦେଶବ୍ୟାପୀ ଲକଡାଉନକୁ ୩ଥର ବୃଦ୍ଧି କରିଥିଲେ। ତେବେ ଜୁନ ୮ ତାରିଖରେ ଅନଲକ-୧ରେ କିଛି କଟକଣାକୁ କୋହଳ କରି ଦିଆଯାଇଛି।

ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ୨ ଦିନିଆ ବୈଠକର କାର୍ଯ୍ୟସୂଚୀ ଅନୁସାରେ ଜୁନ ୧୬ରେ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳମାନଙ୍କ ସହିତ ଆଲୋଚନା ହେବ। ଏଥିରେ ପଞ୍ଜାବ, ଆସାମ, କେରଳ, ଉତ୍ତରାଖଣ୍ଡ, ଛତିଶଗଡ଼, ତ୍ରିପୁରା, ହିମାଚଳ ପ୍ରଦେଶ, ଚଣ୍ଡିଗଡ଼, ଗୋଆ, ମଣିପୁର, ନାଗାଲାଣ୍ଡ, ଲଦାଖ, ପଣ୍ଡିଚେରୀ, ଅରୁଣାଚଳ ପ୍ରଦେଶ, ମେଘାଳୟ, ମିଜୋରାମ, ଆଣ୍ଡାମାନ ନିକୋବର ଦୀପପୁଂଜ, ଦାଦ୍ରାନଗର ହାବେଳୀ ଓ ଡାମନଡିଉ, ସକ୍କିମ ଓ ଲାକ୍ଷାଦ୍ୱୀପ।

ସେହିଭଳି ଜୁନ ୧୭ରେ ୧୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳମାନଙ୍କ ସହିତ କଥା ହେବେ। ଏଥିରେ ଓଡ଼ିଶା, ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ଗୁଜୁରାଟ, ରାଜସ୍ଥାନ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ବିହାର, ଆନ୍ଧ୍ରପ୍ରଦେଶ, ହରିୟାଣା, ଜାମ୍ମୁ କଶ୍ମୀର ଓ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳମାନଙ୍କ ସହ ଆଲୋଚନା ହେବ।