ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ପୁଲିସ ପୁଣିଥରେ ଜବତ ଗଞ୍ଜେଇ ନଷ୍ଟ କରିଛି । ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା, କୋଡ଼ିଙ୍ଗା, ପାପଡ଼ାହାଣ୍ଡି ଓ ନବରଙ୍ଗପୁର ଥାନାର ୨୦ଟି ମାମଲାରେ ଜବତ ହୋଇ ମାଲଖାନାରେ ମହଜୁଦ ଥିବା ୨୯୩୬ କିଲୋ ୭୬୫ ଗ୍ରାମ ଗଞ୍ଜେଇକୁ କୋରାପୁଟ ଜିଲ୍ଲା ଦାମନଯୋଡ଼ି(ନାଲକୋ)ରେ ନଷ୍ଟ କରାଯାଇଛି। ଏହି ନଷ୍ଟ କରାଯାଇଥିବା ଗଞ୍ଜେଇ ମାମଲା ଗୁଡ଼ିକ ଥାନା ପକ୍ଷରୁ ତଦନ୍ତ ସରି କୋର୍ଟରେ ଟ୍ରାଏଲ ଚାଲିଥିବା ଜଣାପଡ଼ିଛି । ବିଭିନ୍ନ ଥାନାମାନଙ୍କରେ ଗଞ୍ଜେଇ ଜବତ ପରେ ରଖିବା ପାଇଁ ବହୁ ସମସ୍ୟା ଦେଖା ଦେଉଥିଲା । ସେଥିପାଇଁ ମାଲଖାନାରେ ମହଜୁଦ ଥିବା ଏହି ଗଞ୍ଜେଇ ଗୁଡ଼ିକ ନଷ୍ଟ କରାଯିବା ପାଇଁ ସଂପୃକ୍ତ ଥାନା ପକ୍ଷରୁ କୋର୍ଟକୁ ଅନୁମତି ମାଗା ଯାଇଥିଲା । କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଥାନା ପକ୍ଷରୁ କମିଟି ନିକଟରେ ତାହା ଉପସ୍ଥାପନ କରାଯାଇଥିଲା । କମିଟି ଏହାର ଯାଞ୍ଚ କରିବା ପରେ ଅଧ୍ୟକ୍ଷଙ୍କ ଅନୁମତିରେ ଗଞ୍ଜେଇ ଗୁଡ଼ିକ ନଷ୍ଟ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଗଞ୍ଜେଇ ନଷ୍ଟ କରିବା ପୂର୍ବରୁ ରାଜ୍ୟ ପରିବେଶ ମନ୍ତ୍ରାଳୟକୁ ମଧ୍ୟ ଅନୁମତି ମଗାଯାଇଥିଲା । ନଷ୍ଟ କରିବା ସମୟରେ କମିଟି ଅଧ୍ୟକ୍ଷା ତଥା ଏସପି ଏସ.ସୁଶ୍ରୀ, ଡେପୁଟି କଲେକ୍ଟର ମୌସୁମୀ ନାୟକ ଓ ଡିଏସପି ପୁରୁଷୋତ୍ତମ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରକାଶଥାଉ କି, ଗତ ମାସ ୨ ତାରିଖରେ ୩୧୬୯.୭୭୦ କେଜି ଗଞ୍ଜେଇ ଦାମନଯୋଡ଼ିର ନାଲକୋଠାରେ ନଷ୍ଟ କରାଯାଇଥିଲା ।