ନବରଙ୍ଗପୁର, ଏନ୍ଏନ୍ଏସ୍ : ମହାମାରୀ କରୋନା ଯୁଦ୍ଧରେ ସିପାହୀ ସାଜିଛନ୍ତି ମହିଳାମାନେ। ତିଆରି କରୁଛନ୍ତି ହଜାର ହଜାର ମାସ୍କ୍। କରୋନା ସଂକ୍ରମଣର ଭୟାବହତାକୁ ନେଇ ସରକାର ମାସ୍କ୍ ପିନ୍ଧିବା ବାଧ୍ୟତା ମୂଳକ କରିଛନ୍ତି। ବର୍ତ୍ତମାନ ମାସ୍କର ଚାହିଦା ବୃଦ୍ଧି ପାଇଛି। ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ (ଓରମାସ)ର ମିଳିତ ସହଯୋଗରେ ନବରଙ୍ଗପୁର ପୌରାଞ୍ଚଳ ଓ ଆଖପାଖ ଅଞ୍ଚଳର ସିଲେଇ ଉଦ୍ୟୋଗୀ ୬୦ ଜଣ ମହିଳା ମାସ୍କ୍ ତିଆରି କରୁଛନ୍ତି। ସମଗ୍ର ଦେଶରେ ବର୍ତ୍ତମାନ ୨ୟ ପର୍ଯ୍ୟାୟ ଲକ୍ ଡାଉନ୍ ଜାରି ରହିଛି। ସମସ୍ତଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଓରମାସ୍ ପକ୍ଷରୁ କଟନ କପଡ଼ା, ଆବଶ୍ୟକ ସରଞ୍ଜାମ ମହିଳାମାନଙ୍କ ଘରେ ପହଞ୍ଚାଇ ଦିଆଯାଉଛି ।
ଅପରାହ୍ନରେ ପ୍ରତ୍ୟେକ ମହିଳାଙ୍କ ଘରକୁ ଘର ଯାଇ ଓରମାସ ଉପମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଳକା ଉମା ମହେଶ ସଂଗ୍ରହ କରିଛନ୍ତି। ଦାବି ମୁତାବକ ଜିଲ୍ଲାସଦର ମହକୁମା ଡାକ୍ତରଖାନା, ଆରକ୍ଷୀ ବିଭାଗ, ସ୍ଥାନୀୟ ଔଷଧାଳୟ ଆଦି ସ୍ଥାନରେ ଯୋଗାଇ ଦିଆଯାଉଛି। ବଜାରରେ ମିଳୁଥିବା ମାସ୍କର ମୂଲ୍ୟ ୫୦ ଟଙ୍କାରୁ ୧୦୦ ଟଙ୍କା ରହିଥିବା ବେଳେ ମହିଳା ଗୋଷ୍ଠୀ ପକ୍ଷରୁ ତିଆରି ହେଉଥିବା ମାସ୍କ ପ୍ରତି ୧୦ଟଙ୍କାରୁ ୧୫ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଛି। ପ୍ରଥମେ ୧୦ଟଙ୍କା ରେ ଯୋଗାଇ ଦିଆଯାଉଥିଲା। କିନ୍ତୁ ବାସ୍ତବ କ୍ଷେତ୍ରରେ ଗୋଟିଏ ମାସ୍କ ପ୍ରତି ୧୩ ଟଙ୍କା ୫୦ପଇସା ଖର୍ଚ୍ଚ ହେଉଥିବାରୁ ପ୍ରତ୍ୟେକ ମାସ୍କରେ ୧ଟଙ୍କ. ୫୦ ପଇସା ଲାଭ ରଖି ବଜାରରେ ବିକ୍ରି କରାଯାଉଛି ।
ପ୍ରତିିଦିନ ସନ୍ଧ୍ୟାରେ ସମ୍ପୃକ୍ତ ମହିଳାମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଉଥିବା ସୁନୀତା ନାୟକ, ଅଫସନା ବାବୋ, ପ୍ରମିଳା ଦାସ, ସାଦିୟା ଖାତୁନ, ସବିତା ହରିଜନ ପ୍ରମୁଖ ପ୍ରକାଶ କରିଛନ୍ତି। ଏସମ୍ପର୍କରେ ଡି. ମିନାକ୍ଷୀ କହିଛନ୍ତି ବର୍ତ୍ତମାନ ସୁଦ୍ଧା ୨୦ହଜାରରୁ ଊଦ୍ଧ୍ୱର୍ ମାସ୍କ ତିଆରି କରି ବିକ୍ରି ସରିଲାଣି। ୫୦ ହଜାର ମାସ୍କ ତିଆରି କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା କହିଥିଲେ। ଲକଡାଉନ୍ ସମୟରେ ମହିଳାମାନେ ଘରେ ରହି ସଚେତନତାର ବାର୍ତ୍ତା ଦେବା ସହ ରୋଜଗାର ପାଇଁ ଜିଲ୍ଲା ପ୍ରଶାସନ ସହଯୋଗର ହାତ ବଢ଼େଇ ଥିବାରୁ ଜିଲ୍ଲାବାସୀ ସାଧୁବାଦ ଜଣାଇଛନ୍ତି।