ସଂଗରୋଧ କେନ୍ଦ୍ରରେ ମିଳୁଛି ପୋକରା ଭାତ

ନବରଙ୍ଗପୁର,ଏନ୍ଏନ୍ଏସ୍ : ସଂଗରୋଧ କେନ୍ଦ୍ରରେ ପୋକରା ଭାତ ମିଳୁଥିବା ଅଭିଯୋଗ ଆସିଛି। ମଙ୍ଗଳବାର ରାତିରେ ଦିଆଯାଇଥିବା ରାତ୍ରିଭୋଜନକୁ ସମସ୍ତେ ବର୍ଜନ କରିଥିବା ଅଭିଯୋଗ କରିଛନ୍ତି ଏକାନ୍ତବାସ କେନ୍ଦ୍ରରେ ଥିବା ଅନ୍ତେବାସୀ। ବହୁ ଏକାନ୍ତବାସ କେନ୍ଦ୍ରରେ ଏପରି ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ରତାଖଣ୍ଡିଗୁଡ଼ା ପ୍ରକଳ୍ପ ହାଇସ୍କୁଲ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଦ୍ୟପେୟକୁ ନେଇ । ପ୍ରବାସୀଙ୍କୁ ଦିଆଯାଉଥିବା ଭାତରେ ପୋକ ସାଲୁବାଲୁ ହେଉଛନ୍ତି। ଏନେଇ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।

ଉକ୍ତ କେନ୍ଦ୍ରରେ ମଙ୍ଗଳବାର ରାତିରେ ଦିଆଯାଉଥିବା ଭାତରେ ପୋକ ସାଲୁବାଲୁ, ଡାଲି କଥା ନକହିବା ଭଲ ବୋଲି ଅଭିଯୋଗ କରିଛନ୍ତି ସଂଗରୋଧ କେନ୍ଦ୍ରର ରହୁଥିବା ଲୋକେ। ଉକ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପୁରୁଷ-୪୨, ମହିଳା-୩୧ ଓ ୧୪ବର୍ଷରୁ କମ୍ ୭ଜଣ ରହିଛନ୍ତି। ବହୁ ଯୁବତୀ ରହୁଥିବାରୁ ସେମାନଙ୍କ ପାଇଁ କୌଣସି ସ୍ୱତନ୍ତ୍ର ଗାଡ଼ୁଆ ସ୍ଥାନ ନଥିବା ଅଭିଯୋଗ ହୋଇଛି। ମହିଳାମାନେ ଖୋଲା ସ୍ଥାନରେ ଗାଧୋଇବା ସମୟରେ ପୁରୁଷମାନେ ସେହିବାଟ ଦେଇ ଯିବାଆସିବା କରୁଛନ୍ତି। ଲାଜରେ ସେମାନେ କିଛି କହିପାରୁନାହାନ୍ତି। ଶୌଚାଳୟ ରହିଛି, କିନ୍ତୁ ତାହା ସଫା ହେଉନଥିବାରୁ ମହିଳା ଓ ପୁରୁଷମାନେ ପାଚେରି ବାହାରକୁ ଯାଇ ମୁକ୍ତାକାଶ ଶୌଚାଳୟ ବ୍ୟବହାର କରୁଥିବା ପ୍ରବାସୀମାନେ କହିଛନ୍ତି। କୌଣସ ଅଘଟଣ ଘଟିବା ପୂର୍ବରୁ ଉକ୍ତ କେନ୍ଦ୍ରରେ ପ୍ରଶାସନ ପକ୍ଷରୁ ଆବଶ୍ୟକ ନିରାପତ୍ତା ଯୋଗାଇଦେବାକୁ ଦାବି ହେଉଛି।