ନବରଙ୍ଗପୁର ମହାବିଦ୍ୟାଳୟର ରସାୟନ ବିଜ୍ଞାନ ଡେମୋନଷ୍ଟ୍ରେଟର ସହଦେବ ପଟ୍ଟନାୟକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ମହାବିଦ୍ୟାଳୟର ସ୍ମାର୍ଟ ଶ୍ରେଣୀଗୃହରେ ରସାୟନ ବିଜ୍ଞାନ ଡେମୋନଷ୍ଟ୍ରେଟର ସହଦେବ ପଟ୍ଟନାୟକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ଭାସ୍କର ନାଥ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ବିଦାୟୀ ଅତିଥି ଶ୍ରୀ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଅତିଥିଙ୍କ ଦ୍ୱାରା ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ବିଶ୍ୱାଳ ଭାବବିହ୍ୱଳ ହୋଇ ସହଦେବ ପଟ୍ଟନାୟକଙ୍କ ଦୀର୍ଘ କର୍ମମୟ ଜୀବନର ଅଭୁଲା ଅନୁଭୂତିକୁ ଉପସ୍ଥାପନ କରି ସେବା ନିବୃତକାଳୀନ ଜୀବନ ସୁଖମୟ ହେଉ ବୋଲି କାମନା କରିଥିଲେ । ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ମହାବିଦ୍ୟାଳୟ ପ୍ରତି ଅବଦାନ ସଂପର୍କରେ ରସାୟନ ବିଜ୍ଞାନ ମୁଖ୍ୟ ଡି. ଗୋବିନ୍ଦ ରାଓ, ଅର୍ଥନୀତି ବିଜ୍ଞାନ ମୁଖ୍ୟ ଦିଲ୍ଲୀପ କୁମାର ହୋତା, ଇତିହାସ ବିଭାଗ ମୁଖ୍ୟ ସଙ୍ଗୀତା ତ୍ରିପାଠୀ, ଜୀବ ବିଜ୍ଞାନ ମୁଖ୍ୟ ଭାନୁମତୀ ସାହୁକାର, ପଦାର୍ଥ ବିଜ୍ଞାନ ମୁଖ୍ୟ ଜିତେନ୍ଦ୍ର କୁମାର ରଥ ଓ ଇତିହାସ ବିଭାଗ ଅଧ୍ୟାପକ ଉଜ୍ଜ୍ୱଳ କୁମାର ମହାନନ୍ଦିଆ ପ୍ରମୁଖ କାର୍ଯ୍ୟରତ ଅମ୍ଳାନ ସ୍ମୃତିର ମହାନୁଭବକୁ ଆଲୋକପାତ କରିବା ସହିତ ଅବସରକାଳୀନ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ କଲେଜ ଅଧ୍ୟକ୍ଷ ଡା. ବିଶ୍ୱାଳ ବିଦାୟୀ କର୍ମଚାରୀ ସହଦେବ ପଟ୍ଟନାୟକଙ୍କୁ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ପକ୍ଷରୁ ଉପହାର ପ୍ରଦାନ କରିବା ସହ ଉପଢୌକନ ଦ୍ୱାରା ସମ୍ମାନିତ କରି ଭବ୍ୟ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଦର୍ଶନ ଶାସ୍ତ୍ର ବିଭାଗ ମୁଖ୍ୟ ଶମ୍ଭୁ ପ୍ରସାଦ ହୋତା ସମୂର୍ଣ୍ଣ ପରିଚାଳନା କରିବା ସହ ଶ୍ରୀ ପଟ୍ଟନାୟକଙ୍କ କର୍ମମୟ ଜୀବନ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀମାନେ ଉପସ୍ଥିତ ରହି ଅବସରକାଳୀନ ଶୁଭେଚ୍ଛା ଜଣାଇଥିଲେ ।