ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଆନ୍ଦୋଳନ

ଯାଜପୁର,ଏନ୍‌ଏନ୍‌ଏସ୍‌: ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷୀଙ୍କୁ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବୀରେ ସାରା ରାଜ୍ୟରେ ଦୀର୍ଘ ୪ବର୍ଷ ଧରି ଆନ୍ଦୋଳନ ଚାଲୁ ରହିଥିବାବେଳେ ଆଜି ଯାଜପୁର ଜିଲ୍ଲା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଓଡ଼ିଶା ସରକାର ଚାଷୀଙ୍କ ଦାବୀଗୁଡ଼ିକୁ ଅଣଦେଖା କରିବା ଫଳରେ ସେମାନଙ୍କ ମଧ୍ୟରେ ନୈରାଶ୍ୟଭାବ ଦେଖାଦେଇଛି । ଏହାବ୍ୟତୀତ ଜିଲ୍ଲାରେ ପ୍ରତିବର୍ଷ ଚାଷୀଙ୍କର ବିଭିନ୍ନ ସମସ୍ୟା ଦେଖା ଦେଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ସଂପୃକ୍ତ ଅଧିକାରୀ ଉଦାସୀନତା ଅବଲମ୍ବନ କରିବାକୁ କେନ୍ଦ୍ର କରି ଆଜି ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ଆହ୍ୱାନକ୍ରମେ ସ୍ଥାନୀୟ ନରସିଂହ ଚୈଧୁରୀ ମହାବିଦ୍ୟାଳୟଠାରୁ ଚାଷୀମାନେ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ଚାଷୀଙ୍କୁ ମାସିକ ୫ହଜାର ସୁରକ୍ଷା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ୫୦୦ ଟଙ୍କା ପରିବର୍ତ୍ତେ ୨ହଜାର ଟଙ୍କାକୁ ବୃଦ୍ଧି ସାଙ୍ଗକୁ ଧାନ କୁଇଣ୍ଟାଲ ପ୍ରତି ହଜାରେ ଟଙ୍କା ଲେଖାଏଁ ବୋନସ, କରେନା ସମୟରେ ଚାଷୀମାନେ ବହୁ ଅସୁବିଧାରେ ଥିବା ବେଳେ ସେମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା, କାଳିଆ ଯୋଜନାରେ ବାଦ ପଡ଼ିଥିବା ଚାଷୀଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ, ଟାଟା କମ୍ପାନୀକୁ ବିଜୁଳି ବିଭାଗର ଘରୋଇକରଣରୁ ବାତିଲ, ଜଳସେଚନ ନାଁରେ ଜାଲିଆତି ବନ୍ଦ, ଶୀତଳଭଣ୍ଡାର ସ୍ଥାପନ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ମାଧ୍ୟମରେ ଯୁବକ ଯୁବତୀଙ୍କୁ ଅଗ୍ରାଧିକାର ଦିଆଯାଉ ପ୍ରଭୃତି ୧୪ ଦଫା ବାଦୀକୁ ନେଇ ଧାରଣା ଓ ବିକ୍ଷୋଭ କରିଥିଲେ । ଏହି ବିକ୍ଷୋଭରେ ୨ହଜାରରୁ ଉର୍‌ଦ୍ଧ୍ୱ ଚାଷୀ ଯୋଗ ଦେଇଥିଲେ । ଦୀର୍ଘ ସମୟ ଧରି ଆନ୍ଦୋଳନ ଜାରି ରଖିବା ପରେ ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂ ରାଠୋର କୌଣସି କାରଣବଶତଃ ଛୁଟିରେ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ଚାଷୀଙ୍କ ସହିତ ଆଲୋଚନା କରି ସେମାନଙ୍କୁ ଆନ୍ଦୋଳନରୁ ନିବୃତ୍ତ କରିବା ସହ ତାଙ୍କଠାରୁ ଦାବିପତ୍ର ଗ୍ରହଣ କରିଥିଲେ । ଏହି ଆନ୍ଦେଳନରେ ସଂଗଠନର ରାଜ୍ୟ ସହ ସଂଯୋଜକ ନିମାଇ ରାୟ ଓ ରଶ୍ମୀରଞ୍ଜନ ସ୍ୱାଇଁ ଯୋଗ ଦେଇଥିଲେ ।