ବେଙ୍ଗାଲୁରୁ,ଏଜେନ୍ସି: ହିଜାବ ବିବାଦକୁ ନେଇ ହୋଇଥିବା ସମସ୍ତ ଆବେଦନକୁ ଖାରଜ କରିଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ। ହିଜାବ ଇସଲାମ ଧର୍ମର ପ୍ରମୁଖ ଅଂଶ ନୁହେଁ। ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ୟୁନିଫର୍ମ ପିନ୍ଧିବା ଉଚିତ୍ ବୋଲି କୋର୍ଟ କହିଛନ୍ତି। ତେବେ ହାଇକୋର୍ଟଙ୍କ ରାୟ ପରେ ବି ଥମୁନି ହିଜାବ ବିବାଦ। କୋର୍ଟଙ୍କ ରାୟକୁ ପ୍ରତିବାଦ କରି ମୁସଲମାନ ସମୁଦାୟ ପୁଣି ବିରୋଧ ପ୍ରଦର୍ଶନ କରିଛନ୍ତି। ଏପରିକି ହିଜାବ ବ୍ୟାନକୁ ବିରୋଧ କରି ଆଜି ମୁସଲିମ୍ ସମ୍ପ୍ରଦାୟ ପକ୍ଷରୁ କର୍ଣ୍ଣାଟକ ବନ୍ଦ ଡାକରା ଦିଆଯାଇଛି।
କର୍ଣ୍ଣାଟକର ବରିଷ୍ଠ ମୁସଲିମ୍ ନେତା ସଗୀର ଅହମ୍ମଦ ରସିଦ୍ ଆଜି ସାରା ରାଜ୍ୟରେ ବନ୍ଦ ଡାକରା ଦେଇଛନ୍ତି। ବୁଧବାର ରସିଦ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ହିଜାବ ବିବାଦ ମାମଲାରେ ହାଇକୋର୍ଟଙ୍କ ଦୁଃଖଦାୟକ ରାୟ ବିରୁଦ୍ଧରେ ନିଜର ଆକ୍ରୋଶ ପ୍ରଦର୍ଶନ କରିବାକୁ ମୁଁ ସାରା ରାଜ୍ୟରେ ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦେଉଛି। ମୁଁ ସମସ୍ତ ମୁସଲମାନଙ୍କୁ ଅନୁରୋଧ କରୁଛି ଯେ, ମୋ ଆଦେଶକୁ ଧ୍ୟାନର ସହ ଶୁଣନ୍ତୁ ଏବଂ କାର୍ଯ୍ୟକାରୀ କରନ୍ତୁ। ସମାଜର ସମସ୍ତ ଦଳିତ, ନିଷ୍ପେସିତ ଏବଂ ଗରୀବ ଶ୍ରେଣୀକୁ ଏହି ବନ୍ଦରେ ସାମିଲ ହେବାକୁ ରସିଦ୍ ଅପିଲ୍ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ମଙ୍ଗଳବାର କର୍ଣ୍ଣାଟକ ହାଇକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ହିଜାବ ମାମଲାର ଶୁଣାଣି କରିଥିଲେ। ମୁଖ୍ୟ ବିଚାରପତି ଋତୁରାଜ ଅୱସ୍ଥି, ଜଷ୍ଟିସ କ୍ରିଷ୍ଣା ଏସ୍ ଦୀକ୍ଷିତ ଏବଂ ଜେ ଏମ୍ ଖାଜିଙ୍କ ଖଣ୍ଡପୀଠ ହିଜାବ ନେଇ ହୋଇଥିବା ସମସ୍ତ ମାମଲା ଖାରଜ କରିଥିଲେ।