ପୁତୁରାର କୁରାଢ଼ି ଚୋଟରେ ମାଉସୀ ମୃତ

ବାରିପଦା,ଏନ୍ଏନ୍ଏସ୍ : ଡକଡିହା ଗ୍ରାମରେ ନୃଶଂସ ହତ୍ୟାକାଣ୍ଡ । ପୁତୁରାର କୁରାଢ଼ି ଚୋଟରେ ମାଉସୀ ମୃତ । କୁରାଢି ସାହାଯ୍ୟରେ ବାରମ୍ବାର ପ୍ରହାର କରି ଅତି ନୃଶଂସ ଭାବେ ହତ୍ୟା କରିଛି ପୁତୁରା । ଏପରି ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଡ଼କଡିହା ଗ୍ରାମରେ। ପୁତୁରା ଜଣକ ମାମୁ ଘରକୁ ଆସିଥିବା ବେଳେ ଗତକାଲି ରାତିରେ ଖାଇସାରିବା ପରେ ମାମୁ ଘର ଲୋକେ ଶୋଇଥିବା ଅବସ୍ଥାରେ ପୁତୁରା ମାଉସୀଙ୍କୁ କୁରାଢ଼ିରେ ଅତି ନୃଶଂସ ଭାବେ ହାଣି ହତ୍ୟା କରିଥିଲା । ମୃତକ ମାଉସୀ ଜଣକ ସେହି ଗ୍ରାମର ଜାଉନି ନାଏକ ବୋଲି ଜଣାପଡିଛି।

ଅଭିଯୁକ୍ତ ପୁତୁରା ଗତକାଲି ରାତିରେ ମାଉସୀଙ୍କୁ ହତ୍ୟା କରିଥିବା ବେଳେ ଆଜି ସକାଳୁ ଲୋକେ ଆସିବାରୁ ଗାଁ ଲୋକ ଓ ସମ୍ପର୍କୀୟଙ୍କୁ ଜୀବନରେ ମାରିଦେବା ନେଇ ହାତରେ କୁରାଢ଼ୀ ଓ ଟାଙ୍ଗିଆ ଧରି ଗୋଡ଼ାଇ ଥିବା ମଧ୍ୟ ସୂଚନା ମିଳିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଁଚି ଅଭିଯୁକ୍ତ ପୁତୁରାକୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ କୁରାଢିକୁ ଜବତ କରିଛି । ଅଭିଯୁକ୍ତ ପୁତୁରା ଜଣକ ହେଲେ କାନ୍ଦ୍ରା ନାଏକ । ସେପଟେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ପୋଲିସ । ବହଳଦା ପୋଲିସ ଏନେଇ ଅଧିକ ତଦନ୍ତ ଚଳାଇଛି ।