ଦେବଗଡ଼,ଏନଏନଏସ : ବାରକୋଟ ଥାନା ଅନ୍ତର୍ଗତ ଠିଆନାଳ ଗ୍ରାମରେ ଗତ ୨୦୧୫ ମସିହାରେ ସଂଗଠିତ ଏକ ଚର୍ଚ୍ଚିତ ହତ୍ୟାକାଣ୍ଡର ରାୟ ପ୍ରକାଶ କରି ମାନ୍ୟବର ଜିଲ୍ଲା ଓ ଦୌରାଜଜ ଗୌତମ ଶର୍ମା ଅଭିଯୁକ୍ତକୁ ପ୍ରମାଣ ଅଭାବରୁ ଖଲାସ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଗତ ୨୦୧୫ ମସିହା ଅଗଷ୍ଟ ୬ ତାରିଖ ଦିନ ବାରକୋଟ ଥାନା ଅନ୍ତର୍ଗତ ଠିଆନାଳ ଗ୍ରାମର ରାସ୍ତା କଡ଼ରୁ ଏକ ଅଜଣା ମୃତ ଦେହ ପୁଲିସ ଉଦ୍ଧାର କରିଥିଲା। ୩ ଦିନ ପରେ ମୃତଦେହକୁ ମୃତକଙ୍କ ସ୍ତ୍ରୀ ସୁମତି ନାଏକ ଏହା ତାଙ୍କ ସ୍ୱାମୀ ରାଜୁ ନାଏକଙ୍କ ବୋଲି ଚି଼ହ୍ନଟ କରିବା ପରେ ସେ ଜଣେ ଟ୍ରକ ଚାଳକ ବୋଲି ପୁଲିସ ଜାଣିବାକୁ ପାଇଥିଲା। ପରେ ମୃତକ ରାଜୁଙ୍କ ସ୍ତ୍ରୀ ସୁମତି ତାଙ୍କ ସ୍ୱାମୀଙ୍କୁ ଟ୍ରକ ମାଲିକ ତାଳଚେର ନିବାସୀ ବିନୋଦ ସାହା ତାଙ୍କ ଭାଇ ଦିନା ସାହା ଓ ହେଲ୍ପର ମାଟୁ ଓରଫ୍ ସୁନାରାମ ହେମ୍ରମ ମିଶି ହତ୍ୟା କରିଥିବା ନେଇ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁକରି ଘଟଣାର ତଦନ୍ତ କରିଛି। ୨୦୧୬ ମସିହା ଜୁନ ୨୨ ତାରିଖରେ ଅଭିଯୁକ୍ତ ହେଲ୍ପର ମାଟୁକୁ ଗିରଫ କରି ପଚରା ଉଚୁରା କରିଥିଲା। ଗିରଫ ହେଲ୍ପର ମାଟୁ ପୁଲିସ ନିକଟରେ ସେ ହତ୍ୟା କରିଥିବା ସ୍ୱିକାର କରିଛି।
୨୦୧୫ ମସିହା ଅଗଷ୍ଟ ୫ ତାରିଖ ଦିନ ମୃତ ଟ୍ରକ ଚାଳକ ରାଜୁ ଓ ଅଭିଯୁକ୍ତ ହେଲ୍ପର ମାଟୁ ଓରଫ ସୁନାରାମ କୋଇଡାରୁ ଲୁହା ପଥର ବୋଝେଇ କରି ଢେଙ୍କାନାଳ ଅଭିମୁଖେ ଯାଉଥିବା ବେଳେ ରାଜୁ ନିଶାସକ୍ତ ଅବସ୍ଥାରେ ମାଟୁ ସହ ବଳ ପୂର୍ବକ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲା। ଏହାପରେ ଠିଆନାଳ ଗ୍ରାମ ନିକଟରେ ପୁଣି ଥରେ ଅପ୍ରାକୃତିକ ଯୌନ ସମ୍ପର୍କ ପାଇଁ ବାଧ୍ୟ କରିବାରୁ ମାଟୁ ଟ୍ରକରେ ଥିବା ଜ୍ୟାକ୍ ରଡ୍ ସାହାଯ୍ୟରେ ରାଜୁକୁ ଆକ୍ରମଣ କରିଥିଲା ଓ ରାଜୁର ମୃତ୍ୟୁ ହୋଇଥିବା ଜାଣି ସେ ଟ୍ରକ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୁଲିସ ଆଗରେ ପ୍ରକାଶ କରିବାରୁ ବାରକୋଟ ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ବିଭିନ୍ନ ସମୟରେ ଅଭିଯୁକ୍ତ ଭିନ୍ନଭିନ୍ନ କୋର୍ଟରେ ଜାମିନ ଆବେଦନ କରିଥିଲେ ମଧ୍ୟ ଜାମିନ ନାମଞ୍ଜୁର ହେବାରୁ ସେ ଦେବଗଡ଼ ସ୍ୱତନ୍ତ୍ର ଉପକାରାଗାରରେ ବିଚାରଧୀନ ବନ୍ଦୀ ଭାବେ ରହିଆସିଥିଲା। ୧୫ ଜଣଙ୍କ ସାକ୍ଷ ଓ ପ୍ରମାଣକୁ ବିଚାର କରି ମାନ୍ୟବର ଅଦାଲତ ଆଜି ଅଭିଯୁକ୍ତକୁ ଖଲାସ କରିଛନ୍ତି। ଅଭିଯୁକ୍ତ ପକ୍ଷରୁ ବରିଷ୍ଠ ଆଇନଜୀବୀ ମନୋଜ କୁମାର ପାଢ଼ୀ ଓ ସହଯୋଗୀ ଜନ୍ମଞ୍ଜୟ ପ୍ରଧାନ ମାମଲାର ପରିଚାଳନା କରୁଥିଲେ।