ପ୍ରେମ କରିବା ପଡ଼ିଲା ମହଙ୍ଗା: ହତ୍ୟା ପରେ ଯୁବକଙ୍କୁ ମାଟିରେ ପୋତିଲେ, ୧୦ ଦିନ ପରେ ଶବ ଜବତ

ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଲଣ୍ଡାଗାଁ ପଞ୍ଚାୟତର ଫାଟକିମାଲ ଅନ୍ତର୍ଗତ ତଳିପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣାଘଟିଛି। ଘଟଣାରୁ ପ୍ରକାଶ ଯେ ତଳିପଡ଼ା ଗ୍ରାମର ଜଣେ ଯୁବତୀକୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଘଣ୍ଟାପଡ଼ା ଗ୍ରାମର ଶୁକଦେବ ରଣା ନାମକ ଯୁବକ ଭଲପାଇ ଆସୁଥିଲା। ଏହାକୁ ଝିଅଙ୍କ ପରିବାର ଲୋକ ବିରୋଧ କରୁଥିଲେ।

ଗତ ୨୬ ତାରିଖ ଦିନ ଉକ୍ତ ଯୁବକକୁ ଝିଅ ଗ୍ରାମକୁ ଡାକିଥିଲା। ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଝିଅର ପରିବାର ଲୋକ ଶୁକଦେବ ମୁଦୁଲି କଥା ହେବ କହି ନିକଟସ୍ଥ ଜଙ୍ଗଲକୁ ନେଇ ହତ୍ୟା କରି ମାଟିରେ ପୋତି ଦେଇଥିଲେ। ସେହିଦିନ ଠାରୁ ଶୁକଦେବ ଘରକୁ ନଯିବାରୁ ପରିବାର ପକ୍ଷରୁ ଥାନାରେ ଏକ ନିଖୋଜ ଏତଲା ଦିଆଯାଇଥିଲା।

ପୁଲିସ ଖୋଜା ଖୋଜି କରୁଥିବା ବେଳେ ସୋମବାର ବାଲିଗୁଡ଼ା ପୁଲିସକୁ ସୁରାକ ମିଳିଥିଲା। ଏହା ପରେ ଝିଅର ପରିବାରକୁ ପଚରା ଉଚରା ପରେ ହତ୍ୟା ହୋଇଥିବା ଜଣାପଡିଥିଲା। ଏହି ମାମଲାରେ ଦୁଃଶାସନ ମଲିକ, ଗିରିଶ ମଲିକ ଓ ନିଲବନ୍ତ ମଲିକକୁ ଥାନା କେସ୍‌ ନମ୍ବର-୧୯୨/୨୨ରେ ଗିରଫ କରି କୋର୍ଟ ଚାଲାଣ କରିଛି। ମାଟି ତଳୁ ଉଦ୍ଧାର କରାଯାଇଥିବା ମୃତ ଦେହକୁ ଜବତ କରି ବ୍ରହ୍ମପୁର ଏମକେସିଜି ବଡ଼ ମେଡ଼ିକାଲ ଏଫ୍ଏମ୍‌ଟି ବିଭାଗକୁ ପଠାଯାଇଥିବା ବିଷୟ ଥାନା ଅଧିକାରୀ ବାବା ଶଙ୍କର ସରାଫ ପ୍ରକାଶ କରିଛନ୍ତି।