ନିଶାସକ୍ତ ଅବସ୍ଥାରେ ମାଡ଼ପିଟ୍, ଜଣେ ମୃତ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ସୁଗୁଡ଼ା ଗ୍ରାମରେ ଗତ ୨୩ ତାରିଖ ହୋଇଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୁଲିସ। ହତ୍ୟାକାରୀକୁ ଗିରଫ କରିଥିବାବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତ ଲଗା ଠେଙ୍ଗାକୁ ମଧ୍ୟ ଜବତ ହୋଇଛି। ସୂଚନା ଅନୁଯାୟୀ, ଦବଗଡ଼ ଥାନା ଅନ୍ତର୍ଗତ ସୁଗୁଡ଼ା ଗ୍ରାମର ଧୀର ସାହୁ (୫୦) ଗତ ଶୁକ୍ରବାର ମଦ ପିଇବା ପାଇଁ ସରକାରୀ ମଦ ଭାଟିକୁ ଯାଇଥିବା ସମୟରେ ସେହି ଗ୍ରାମର ପିଣ୍ଟୁ ପ୍ରଧାନ ଓ ଧୀର ସାହୁଙ୍କ ପୁତୁରା ପପନ ସାହୁ ମଧ୍ୟ ଉକ୍ତ ମଦଭାଟିକୁ ଯାଇଥିଲେ। ମାତ୍ର ପପନ ପ୍ରଥମେ ସେଠାରୁ ନିଜ ଘରକୁ ଫେରି ଆସିଥିବା ବେଳେ ପିଣ୍ଟୁ ଅତ୍ୟଧିକ ନିଶାଗ୍ରସ୍ତ ହୋଇ ଗାଁ ମୁଣ୍ଡରେ ଥିବା କାମନା ଗୁଡି ରାସ୍ତାରେ ପଡି ରହିଥିଲା। ପଛରେ ଧୀର ଘରକୁ ଫେରୁଥିବା ବେଳେ ପିଣ୍ଟୁ ରାସ୍ତାରେ ପଡିଥିବା ଦେଖି ଗୋଇଠା ମାରିବା ସହ ପିଣ୍ଟୁର ପକେଟରେ ଥିବା ୧ ହଜାର ଟଙ୍କାକୁ ଛଡାଇ ନେବା ପାଇଁ ଉଦ୍ୟମ କରିଥିଲା। ଏହାକୁ ପିଣ୍ଟୁ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ଧସ୍ତା ଧସ୍ତି ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପିଣ୍ଟୁ ଧୀରକୁ କାମନା ଗୁଡି ମନ୍ଦିର ବେଢାକୁ ଟାଣି ନେଇ ଏକ ଠେଙ୍ଗାରେ ପିଟିଥିଲା। ଠେଙ୍ଗା ମାଡ଼ରେ ଧୀରର ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହେବା ଯୋଗୁଁ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଧୀର ନିସ୍ତେଜ ହୋଇ ଯିବା ପରେ ପିଣ୍ଟୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ତେବେ ସକାଳେ ଏକ ଜୁଆଁଳି ଚୋରିକୁ କେନ୍ଦ୍ର କରି ଧୀରର ପୁତୁରା ପପନ ମାଡ ମାରିଥିବା ଏବଂ ହତ୍ୟା ଧମକ ଦେଇଥିବାରୁ ଏହି ହତ୍ୟାକାଣ୍ଡରେ ପପନ ର ସମ୍ପୃକ୍ତି ଥିବା ସନ୍ଦେହ କରି ମୃତ ଧୀରର ପୁଅ ସାଗର ଦେବଗଡ଼ ଥାନାରେ ପପନ ବିରୋଧରେ ହତ୍ୟା ଅଭିଯୋଗ କରିଥିଲା। ଅଭିଯୋଗ ପାଇ ଦେବଗଡ଼ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ତଦନ୍ତକାରୀ ଅଧିକାରୀ ଦେବଗଡ଼ ଥାନା ଆଇଆଇସି ସୁରେନ୍ଦ୍ର କୁମାର ନାୟକ ଘଟଣା ତଦନ୍ତ ସମୟରେ ଏହି ହତ୍ୟାକାଣ୍ଡରେ ପିଣ୍ଟୁର ସମ୍ପୃକ୍ତି ଥିବା ଜାଣିବାପରେ ଗତକାଲି ରାତିରେ ଗିରଫ କରିଥିଲେ। ଆଜି ପିଣ୍ଟୁକୁ କୋର୍ଟଚାଳାଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି।