ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତକୁ ଆଉ ଏକ ମେଡାଲ, ଲମ୍ବଡିଆଁରେ ରୌପ୍ୟ ଆଣିଲେ ମୁରଲୀ ଶ୍ରୀଶଙ୍କର

ବର୍ମିଂହାମ,ଏଜେନ୍ସି: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ସଫଳ ଅଭିଯାନ ଜାରି ରହିଛି । ଲମ୍ବଡିଆଁରେ ମୁରଲୀ ଶ୍ରୀଶଙ୍କର ରୌପ୍ୟପଦକ ହାସଲ କରିଛନ୍ତି । ମୁରଲୀ ୮.୦୮ ମିଟର ଡେଇଁ ଏହି ପଦକ ଆଣିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ର ଦୌଡ଼କୁଦ ପ୍ରତିଯୋଗିତାରେ ଭାରତର ଏହା ହେଉଛି ୨ୟ ପଦକ । ଏହା ପୂର୍ବରୁ ତେଜସ୍ୱିନ ଶଙ୍କର ଉଚ୍ଚଡିଆଁରେ କାଂସ୍ୟ ପଦକ ଜିତିଥିଲେ । ଶ୍ରୀଶଙ୍କରଙ୍କ ବ୍ୟତୀତ ମହମ୍ମଦ ଅନୀସ ୟାହିହା ମଧ୍ୟ ଫାଇନାଲ ପହଞ୍ଚି ଥିଲେ । କିନ୍ତୁ ସେ ୭.୯୭ର ବେଷ୍ଟ ଜମ୍ପ ସହିତ ପଂଚମ ସ୍ଥାନରେ ରହିଥିଲେ ।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଏପର୍ଯ୍ୟନ୍ତ ୨୦ଟି ପଦକ ହାସଲ କରିସାରିଛି । ଏଥିରେ ୬ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଓ ୭ଟି କାଂସ୍ୟ ପଦକ ସାମିଲ ରହିଛି । ସବୁଠାରୁ ବଡ଼ କଥା ହେଲା ଯେ, ୱେଟଲିଫ୍ଟିଙ୍ଗରେ ୧୦ଟି ପଦକ ଜିତିଛି । ଜୁଡୋରେ ୩ଟି ଓ ଦୌଡ଼କୁଦରେ ୨ଟି ପଦକ ଭାରତକୁ ଆସିଛି । ଏଥି ସହିତ ଲନ୍ ବଲ୍ସ, ଟେବୁଲ ଟେନିସ, ବେଡମିଣ୍ଟନ, ସ୍କ୍ୱାସ, ପାରାଲିମ୍ପିକ୍ସରେ ଭାରତକୁ ଗୋଟିଏ ଲେଖାଏଁ ପଦକ ମିଳିଛି ।