ମୁନିଗୁଡା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ମୁନିଗୁଡା ବ୍ଲକ ଗସ୍ତରେ ଆସି ବିଡିଓ ଦିଲ୍ଲୀପ କୁମାର ବେହେରା ଓ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ବିଭିନ୍ନ ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ପ୍ରତ୍ୟେକ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବା ସହିତ ଯୋଜନାର ସଫଳ ରୂପାୟନ ଉପରେ ଜୋ ଦେଇଥିଲେ। ପରେ ଜିଲ୍ଲାପାଳ ତେଲେଙ୍ଗାପଦର ପଞ୍ଚାୟତ ଗସ୍ତରେ ଯାଇଥିଲେ। ବିଡିଓ ଶ୍ରୀ ବେହେରା, ଯନ୍ତ୍ରୀ ଅଶୋକ କୁମାର ପାତ୍ର, ରାମଚନ୍ଦ୍ର ସୂତାର, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାକର ନାଲା ପ୍ରମୁଖ ଜିଲ୍ଲାପାଳଙ୍କୁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡିକୁ ଦେଖାଇଥିଲେ।
ବୋରିଖାଲ, ଗଙ୍ଗରାପଡ଼ା, ଖିଲାମୁଣ୍ଡା ଓ କାଣିମଣିରେ ଚାଲିଥିବା ପୋଖରୀ ଖୋଳା, ମହିଳା ସ୍ୱୟଂସହାୟକ ଗୋଷ୍ଟୀଙ୍କ ନିମନ୍ତେ ଜିପିଏଲଫ ବିଲ୍ଡିଂ ଓ ପଞ୍ଚାୟତ କଲ୍ୟାଣ ମଣ୍ଡପର କାର୍ଯ୍ୟକୁ ଦେଖିଥିଲେ। ବିଡିଓ ଶ୍ରୀ ବେହେରା ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇବାସହ ସ୍ଥାନୀୟ ଅଞ୍ଚଳର ଶ୍ରମିକଙ୍କ ସହାୟତାରେ ସମସ୍ତ କାର୍ଯ୍ୟ ଚାଲିଥିବା କହିଥିଲେ। ପ୍ରକାଶ ଥାଉକି, ମହାମାରୀ କରୋନା ଭୟରେ ଅନ୍ୟ ରାଜ୍ୟରୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇବାକୁ ସରକାର ପ୍ରାଥମିକତା ଦେଉଛନ୍ତି। ଏଣୁ ବିଭିନ୍ନ ଯୋଜନାରେ ଚାଲିଥିବା କାମରେ ଶ୍ରମିକମାନଙ୍କୁ କାମ ଯୋଗାଇ ଦେବାକୁ ବ୍ଲକ୍ର ପ୍ରତି ପଞ୍ଚାୟତରେ ସ୍ଥିର ହୋଇଛି।