ଭୂତଳ ଟନେଲ ପାଇଁ ଟେଣ୍ଡର ଜାରି, ସମୁଦ୍ର ମଧ୍ୟ ଦେଇ ଚାଲିବ ବୁଲେଟ ଟ୍ରେନ

ମୁମ୍ବାଇ,ଏଜେନ୍ସି: ନ୍ୟାସନାଲ ହାଇ ସ୍ପିଡରେଲୱେ କର୍ପୋରେସନ ଲିମିଟେଲ (ଏନ୍‌ଏଚ୍‌ଏସ୍‌ଆର୍‌ସିଏଲ୍‌) ମୁମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନ ସେବା ପାଇଁ ୨୧ କିଲୋମିଟର ଲମ୍ବର ଟନେଲ ନିର୍ମାଣ ପାଇଁ ଟେଣ୍ଡର ଜାରି କରିଛି । ସେଥିରୁ ୭ କିଲୋମିଟର ଟନେଲ ସମୁଦ୍ର ଗର୍ଭ ଦେଇଯିବ। ବିଶେଷ ସୂତ୍ରରୁ ପ୍ରକାଶ ପାଇଛି ଯେ, ମହାରାଷ୍ଟ୍ରରେ ସରକାର ପରିବର୍ତ୍ତନ ହେବାପରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ତୀବ୍ର ଭାବେ ଚାଲିଛି। ପୂର୍ବରୁ ଦିଆଯାଇଥିବା ଟେଣ୍ଡର ଗୁଡ଼ିକ ପ୍ରତ୍ୟାହାର କରାଯାଇଥିଲା । ବର୍ତ୍ତମାନ ପୁନଃ ଏହା ଜାରି କରାଯାଇଛି ।

ମହାରାଷ୍ଟ୍ରର ଥାନେ ଜିଲ୍ଲାର ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ ଏବଂ ଶିଳଫାଟାରେ ଅଣ୍ଡରଗ୍ରାଉଣ୍ଡ ଷ୍ଟେସନ ମଧ୍ୟରେ ସମୁଦ୍ରରେ ଏହି ଟନେଲ ନିର୍ମାଣ ହେବ । ଟେଣ୍ଡର ଡକ୍ୟୁମେଣ୍ଟ ଅନୁଯାୟୀ, ଟନେଲ ବୋରିଂ ମେସିନ ଏବଂ ନ୍ୟୁ ଅଷ୍ଟ୍ରିଆନ ଟନେଲିଂ ପଦ୍ଧତିରେ ନୂତନ ଜ୍ଞାନକୌଶଳ ବ୍ୟବହାର କରି ଏହି ଅତ୍ୟାଧିନିକ ଟନେଲ ନିର୍ମାଣ କରାଯିବ । ୭ କିଲୋମିଟର ଲମ୍ବରର ଟନେଲ ଦେଶରେ ପ୍ରଥମ ଥର ପାଇଁ ସମୁଦ୍ର ଗର୍ଭରେ ନିର୍ମାଣ ହେବ । ଏନ୍‌ଏଚ୍‌ଏସ୍‌ଆର୍‌ସିଏଲ୍‌ ଅନୁଯାୟୀ, ନିର୍ମାଣ ହେବାକୁ ଥିବା ଟନେଲଟି ୧୩.୧ ମିଟର ବ୍ୟାୟ ବିଶିଷ୍ଟ ‘ଏକକ-ଟ୍ୟୁବ ଟ୍ବିନ-ଟ୍ରାକ୍’ ହେବ। ଟନେଲର ୩୭ଟି ସ୍ଥାନରେ ୩୯ଟି ଯନ୍ତ୍ର କୋଠରୀ ନିର୍ମାଣ ହେବ।

ଟନେଲର ୧୬ କିଲୋମିଟର ଯାଏ ତିନୋଟି ଟିବିଏମ ବ୍ୟବହାର କରାଯିବ। ସେହିପରି ଅନ୍ୟ ୫ କିଲୋମିଟରକୁ ଏନଏଟିମ ମାଧ୍ୟମରେ ନିର୍ମାଣ କରାଯିବ । ଏହା ଭୂମି ଠାରୁ ପ୍ରାୟ ୨୫ରୁ ୬୫ ମିଟର ଗଭୀର ରହିବ ଏବଂ ଶିଳଫାଟା ନିକଟ ପାରସିକ ପାହାଡ ତଳେ ସବୁଠାରୁ ଅଧିକ ୧୧୪ ମିଟର ଗଭୀରରେ ଟନେଲ ରହିବ । ଟେଣ୍ଡର ଦାଖଲ କରିବାର ଶେଷ ତାରିଖ ହେଉଛି ୧୯ ଜାନୁଆରୀ ୨୦୨୩।