ଦଶହରାରେ ଭିଡକୁ ଏଡାଇବ କମିସନରେଟ ପୁଲିସର ମୋବାଇଲ ବାଇକ

ଭୁବନେଶ୍ବର,ଏନ୍ଏନ୍ଏସ୍: ଦଶହରାରେ ଭିଡ଼କୁ ଏଡାଇବା ପାଇଁ କମିସନରେଟ ପୁଲିସ ପକ୍ଷରୁ ବୁଲିବ ମୋବାଇଲ ବାଇକ । ଦୁଇ ବର୍ଷର କୋଭିଡ କଟକଣା ପରେ ଭୁବନେଶ୍ବର ଓ କଟକର ବିଭିନ୍ନ ପୂଜା ମଣ୍ଡପରେ କଟକଣା ମୁକ୍ତ ଦୂର୍ଗା ପୂଜା ଅନୁଷ୍ଠିତ ହେବାକୁ ଥିବାରୁ ଏଥର ପୂର୍ବ ବର୍ଷ ଗୁଡ଼ିକ ଅପେକ୍ଷା ଅଧିକ ଗହଳି ରହିବ । ବିଭିନ୍ନ ସ୍ଥାନରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ କମିସନରେଟ ପୁଲିସ ପ୍ରସ୍ତୁତ ଥିବା କହିଛନ୍ତି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

କୋଭିଡ ଯୋଗୁଁ ଗତ ଦୁଇ ବର୍ଷ ସମସ୍ତ ପୂଜା ପାର୍ବଣ ବନ୍ଦ ହୋଇ ରହିଥିଲା । ଚଳିତ ବର୍ଷ ମହାମାରୀର କୋପ କମି ଯାଇଥିବାରୁ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ପୂଜା ମଣ୍ଡପ ଓ ବଜାର ଘାଟ । ଆଉ ମାତ୍ର ଦିନ କେଇଟାର ଅପେକ୍ଷା ପରେ ଅନୁଷ୍ଠିତ ହେବ ମା’ ଦୁର୍ଗାଙ୍କର ପୂଜା । ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ପୂଜାରେ ମେଲୋଡ଼ି ପାଇଁ ରାତି ୧୨ଟା ଯାଏଁ ଅନୁମତି ଦିଆଯାଇଛି । ଚଳିତ ବର୍ଷ ଦୁର୍ଗା ପୂଜାକୁ ସୂଚାରୁ ରୂପେ ପାଳନ କରିବା ପାଇଁ ଚାଲିଛି ପ୍ରସ୍ତୁତି ।

ଟ୍ବିନସିଟିରେ କିଭଳି ଭାବରେ ଭିଡକୁ ଏଡାଇଯାଇପାରିବ, ସେନେଇ କମିସନରେଟ ପୋଲିସ ପକ୍ଷରୁ ୫ଟି ମୋବାଇଲ ବାଇକ ପ୍ରସ୍ତୁତ ରହିଥିବା ସୂଚନା ଦିଆଯାଇଛି । ଏନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ, “ଦୁଇ ବର୍ଷ ପରେ କୋରୋନାର ପ୍ରଭାବ ନଥିବାରୁ ଦୁର୍ଗା ପୂଜାରେ ଜନସାମାଗମ ରହିବ । ଏହା ପୁଲିସ ପାଇଁ ଏକ ବିରାଟ ଚାଲେଞ୍ଜ ରହିବ । ଆଜି ୫ଟି ମୋବାଇଲ ବାଇକ ଦିଆଯାଇଛି । କିଛିଦିନ ତଳେ ୩ଟି ମୋବାଇଲ ବାଇକ ଦିଆଯାଇଥିଲା । ୫ଟି ମୋବାଇଲ ବାଇକରୁ ୨ଟି ଭୁବନେଶ୍ବରେ ରହିବ ଓ ବାକି ୩ଟି କଟକରେ ରହିବ । ଯେହେତୁ ଦଶହରାରେ କଟକରେ ଅଧିକ ଭିଡ଼ ହୋଇଥାଏ, ତେବେ ଭିଡ଼କୁ ଏଡାଇବା ପାଇଁ ମୋବାଇଲ ବାଇକ ସହାୟକ ହେବ ।”