ଲାଲକିଲ୍ଲାରେ ସ୍ୱାଧୀନତା ଦିବସ ପାଇଁ ବହୁସ୍ତରୀକ୍ଷ ସୁରକ୍ଷା ବ୍ୟବସ୍ଥା: ୩୦୦ କ୍ୟାମେରା ଓ ୪ ହଜାର ସୁରକ୍ଷାକର୍ମୀ ନିୟୋଜିତ

ନୂଆଦିଲ୍ଲୀ: ଲାଲକିଲ୍ଲାରେ ଆୟୋଜିତ ହେବାକୁ ଥିବା ୭୪ତମ ସ୍ୱାଧୀନତା ଦିବସ ସମାରୋହ ପାଇଁ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସାମାଜିକ ଦୂରତା ମାନଦଣ୍ଡକୁ ଆପଣାଇବା ଲାଗି ମଧ୍ୟ ସମସ୍ତ ପ୍ରକାର ଉପାୟ ଆପଣାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଲାଲକିଲ୍ଲାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏଥିପାଇଁ ଲାଲକିଲ୍ଲାରେ ଯାଞ୍ଚ ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରାଯାଇଛି।

ପୁଲିସର କହିବା ମୁତାବକ, ସୁରକ୍ଷାକୁ ଦୃଷ୍ଟିରେ ପାଖାପାଖି ୩୦୦ରୁ ଅଧିକ କ୍ୟାମେରା ଲଗାଯାଇ ତା’ ର ଫୁଟେଜ ଉପରେ ନଜର ରଖାଯାଇଛି। ଏଥିସହିତ ୪ ହଜାରରୁ ଅଧିକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ରେଳ ଷ୍ଟେସନ ଓ ଆଖପାଖ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଦୃଷ୍ଟି ଦିଆଯାଇଛି। ସ୍ୱାଧୀନତା ଦିବସ ଲାଗି ଭିଭିଆଇପି ଲୋକଙ୍କ ଯା’ଆସ କାରଣରୁ ଲାଲକିଲ୍ଲାର ବିଶେଷ ଟ୍ରାକରେ ସକାଳ ୬ଟା ୪୫ରୁ ୮ଟା ୪୫ ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ଉପରେ ରୋକ ଲଗାଯାଇଛି।

ସୂଚନାଯୋଗ୍ୟ, ଲାଲକିଲ୍ଲାରେ ଗୁରୁବାର ସକାଳେ ସ୍ୱାଧୀନତା ଦିବସ ସମାରୋହ ପାଇଁ ଜଳ, ସ୍ଥଳ ଓ ବାୟୁସେନା ପକ୍ଷରୁ ଫୁଲ-ଡ୍ରେସ ପେରେଡ ଅଭ୍ୟାସ କରାଯାଇଥିଲା। ଅଭ୍ୟାସ ସମୟରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ଯାତାୟତ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ଜଣାପଡ଼ିଛି।