ମଲ୍ଟିଡାଇମେନ୍ସିଆଲ୍ ପଭର୍ଟି ଇଣ୍ଡେକ୍ସ: ବିହାରରେ ୫୨% ଲୋକ ଗରିବ, କେରଳରେ ଅଛନ୍ତି ଅଧିକ ଧନୀ

ଓଡ଼ିଶାର ସ୍ଥାନ ୯ମ

ନୂଆଦିଲ୍ଲୀ,ଏଜେନ୍ସି: ନିତି ଆୟୋଗ ଦେଶର ପ୍ରଥମ ମଲ୍ଟିଡାଇମେନ୍ସିଆଲ୍ ପଭର୍ଟି ଇଣ୍ଡେକ୍ସ ଜାରି କରିଛି। ଏହି ଜାତୀୟ ଇଣ୍ଡେକ୍ସ ଅନୁସାରେ ବିହାର ଦେଶର ସବୁଠାରୁ ଗରିବ ରାଜ୍ୟ ବୋଲି ଜଣାପଡ଼ିଛି। ବିହାରରେ ୫୧.୯୧ ପ୍ରତିଶତ ନାଗରିକ ଗରିବ ଅଛନ୍ତି। ବିହାର ପଛକୁ ଦ୍ୱିତୀୟ ସ୍ଥାନରେ ଝାଡଖଣ୍ଡ (୪୨.୧୬%), ତୃତୀୟରେ ଉତ୍ତରପ୍ରଦେଶ (୩୭.୭୯%) ଓ ୪ର୍ଥରେ ମଧ୍ୟପ୍ରଦେଶ (୩୭.୭୯%) ରହିଛି। ଓଡ଼ିଶାର ସ୍ଥାନ ଏହି ମାମଲାରେ ୯ମ ରହିଛି। ଏହି ମାମଲାରେ କେରଳର ପ୍ରଦର୍ଶନ ଭଲ ରହିଛି। ରାଜ୍ୟରେ ମାତ୍ର ୦.୭୧ ପ୍ରତିଶତ ଲୋକ ଗରିବ ଅଛନ୍ତି। ଅପରପକ୍ଷରେ କେରଳରେ ସବୁଠାରୁ ଅଧିକ ଧନୀ ରହିଛନ୍ତି ବୋଲି ଇଣ୍ଡେକ୍ସରୁ ଜଣାପଡ଼ିଛି।

ଦେଶର ୭୦୦ରୁ ଅଧିକ ଜିଲ୍ଲାରେ ଜିଲ୍ଲାସ୍ତରରେ ତିନୋଟି ଉପାଦାନକୁ ନେଇ ତଥ୍ୟ ସଂଗ୍ରହ କରାଯାଇଛି। ସ୍ୱାସ୍ଥ୍ୟ, ଶିକ୍ଷା ତଥା ଜୀବନଯାପନ ସ୍ତରର ୧୨ ସୂଚକାଙ୍କ ଆଧାରରେ ଆକଳନ କରାଯାଇଛି। ଏହି ସୂଚକାଙ୍କ ମଧ୍ୟରେ ପୋଷଣ, ଶିଶୁ-କିଶୋର ମୃତ୍ୟୁ ହାର, ପ୍ରସବ ପୂର୍ବ ସ୍ୱାସ୍ଥ୍ୟବସ୍ଥାର ଉପଲବ୍‌ଧତା, ଶିକ୍ଷାଗ୍ରହଣ ବର୍ଷ, ବିଦ୍ୟାଳୟରେ ଉପସ୍ଥିତି, ସଫେଇ, ପାନୀୟ ଜଳ, ବିଜୁଳି, ବାସଗୃହ, ଧନ-ସମ୍ପତ୍ତି ତଥ୍ୟା ବ୍ୟାଙ୍କ୍‌ରେ ଜମାପୁଞ୍ଜି ଆଦିକୁ ବିଚାର କରାଯାଇଛି। ବିହାର ଏହି ୧୨ ସୂଚକାଙ୍କରୁ ୧୧ରେ ଟପ୍ ୫ରେ ସାମିଲ୍ ରହିଛି। କୁପୋଷଣ ସଂଖ୍ୟା ବିହାରରେ ସର୍ବାଧିକ ରହିଛି।

ଅପରପକ୍ଷରେ ରୋଷେଇ ପାଇଁ ଇନ୍ଧନ ଗ୍ୟାସ୍‌ର ଅନୁପଲବ୍‌ଧତା ମାମଲାରେ ଓଡ଼ିଶା ଝାଡ଼ଖଣ୍ଡ, ବିହାର ପଛରେ ତୃତୀୟ ସ୍ଥାନରେ ରହିଛି। ସ୍ୱଚ୍ଛତାର ଅଭାବ (ଟଏଲେଟ୍‌ର ଅଭାବ) ସୂଚକାଙ୍କରେ ମଧ୍ୟ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ବାସଗୃହରେ ବିଜୁଳି ନଥିବା କ୍ଷେତ୍ରରେ ଓଡ଼ିଶା ବିହାର, ୟୁପି, ଆସାମ ଓ ଝାଡ଼ଖଣ୍ଡ ପଛକୁ ୫ମ ସ୍ଥାନରେ ରହିଛି।