- କାବୁଲ: ଦୀର୍ଘଦିନର ଆଲୋଚନା ଓ ପଞ୍ଜଶିର ଲଢ଼େଇ ଭିତରେ ତାଲିବାନ ପକ୍ଷରୁ ଆଫଗାନିସ୍ତାନରେ ସରକାର ଗଠନ ପାଇଁ ପ୍ରକ୍ରିୟା ଚୂଡ଼ାନ୍ତ କରାଯାଇଛି। ତାଲିବାନ ପକ୍ଷରୁ ଆଫଗାନର ମୁଖ୍ୟ ବା ରାଷ୍ଟ୍ରପତିଭାବେ ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ ମନୋନୀତ ହୋଇଥିବା ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ତାଲିବାନ କହିଛି ଯେ, ବୁଧବାର ବିଧିବଦ୍ଧଭାବେ ଆଫଗାନରେ ତାଲିବାନୀ ଶାସନ ଆରମ୍ଭ ହେବ। ସେହିଦିନ ସରକାର ଗଠନ ସମ୍ପର୍କରେ ଘୋଷଣା ହେବ। ସରକାର ଗଠନ ଉତ୍ସବରେ ଯୋଗଦେବା ପାଇଁ ତାଲିବାନ ପକ୍ଷରୁ ପାକିସ୍ତାନ, ଚାଇନା, ଋଷ, କତାର ଓ ଇରାନକୁ ନିମନ୍ତ୍ରଣ ମଧ୍ୟ କରାଯାଇଛି। ସରକାର ଗଠନ ପାଇଁ ତାଲିବାନ ପକ୍ଷରୁ ବୈଠକ ଚାଲିଥିବାବେଳେ ଅମୀରୁଲ ମୋଇନୀ ଶେଖ ହିବାତୁଲ୍ଲା ଅଖୁନ୍ଦଜାଦା ହିଁ ପ୍ରଥମେ ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦାଙ୍କ ନାଁ ଦେଶର ମୁଖ୍ୟଭାବେ ମନୋନୀତ କରିବାକୁ ପ୍ରସ୍ତାବ ଦେଇଥିଲେ।
ଏହାପରେ ସର୍ବସମ୍ମତିକ୍ରମେ ତାଙ୍କ ନାଁ ଉପରେ ମୋହର ବାଜିଛି। ତାଙ୍କର ୨ ଜଣ ଡେପୁଟି ରହିବେ। ମୁଲ୍ଲା ବରାଦର ଅଖୁନ୍ଦ ଓ ମୁଲ୍ଲା ଅବଦୁସ ସଲମ ଦେଶର ଉପ ମୁଖ୍ୟଭାବେ କାର୍ଯ୍ୟ କରିବେ। ୩ ଜଣ ତାଲିବାନୀ ନେତା ଉକ୍ତ ଗଣମାଧ୍ୟମକୁ ହସନ ଅଖୁନ୍ଦ ଆଫଗାନର ତାଲିବାନ ଶାସନବେଳେ ମୁଖ୍ୟଭାବେ କାର୍ଯ୍ୟ କରିବେ ବୋଲି କହିଛନ୍ତି।
ହସନ ଅଖୁନ୍ଦ ଏବେ ତାଲିବାନର ନିଷ୍ପତ୍ତି ନେଉଥିବା ପ୍ୟାନେଲ ରେହବରି ଶୁରା ବା ନେତୃତ୍ୱ ପରିଷଦର ମୁଖ୍ୟ ଭାବେ କାମ କରୁଛନ୍ତି। ସେ ତାଲିବାନର ଜନ୍ମସ୍ଥାନ କାନ୍ଦାହାରରେ ରୁହନ୍ତି। ସେ ଦୀର୍ଘ ୨୦ ବର୍ଷ ହେଲାଣି ରେହବରି ଶୁରାର ମୁଖ୍ୟଭାବେ କାମ କରିଛନ୍ତି ଓ ନିଜର ସ୍ୱତନ୍ତ୍ର ସ୍ଥାନ ସଂଗଠନ ତିଆରି କରିଛନ୍ତି।
ତାଙ୍କୁ ସବୁ ସଦସ୍ୟ ବେଶ ସମ୍ମାନ ମଧ୍ୟ କରନ୍ତି। ସେ ଜଣେ ଧାର୍ମିକ ନେତା। ସେ ତାଙ୍କର ଚରିତ୍ର ଓ ନିଷ୍ଠାପରତା ପାଇଁ ବେଶ ଜଣାଶୁଣା ବୋଲି ଜଣେ ତାଲିବାନୀ ନେତା କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ହସନ ଅଖୁନ୍ଦ ସଂଗଠନର ଶୀର୍ଷନେତା ମୁଲ୍ଲା ହିବାତୁଲ୍ଲା ଅଖୁନ୍ଦଜାଦାଙ୍କ ଘନିଷ୍ଠଭାବେ ୨୦ ବର୍ଷ ହେଲା କାମ କରିଆସିଛନ୍ତି।
ପୂର୍ବରୁ ଯେତେବେଳେ ତାଲିବାନ ଆଫଗାନରେ ଶାସନ କରୁଥିଲା ସେତେବେଳେ ହସନ ଅଖୁନ୍ଦ ବୈଦେଶିକ ମନ୍ତ୍ରୀଭାବେ କାର୍ଯ୍ୟ କରିଥିଲେ। ଏହାପରେ ସେ ଦେଶର ଉପ ପ୍ରଧାନମନ୍ତ୍ରୀ ହୋଇଥିଲେ।
ଅନ୍ୟପକ୍ଷରେ ତାଲିବାନ ସରକାରରେ ହକ୍କାନୀ ନେଟୱର୍କର ମୁଖ୍ୟ ସିରାଜୁଦ୍ଦିନ ହକ୍କାନୀ ଫେଡେରାଲ ଆଭ୍ୟନ୍ତରୀଣ ମନ୍ତ୍ରୀଭାବେ କାର୍ଯ୍ୟ କରିବେ। ଏଥିସହ ଆଫଗାନର ଇଷ୍ଟର୍ଣ୍ଣ ପ୍ରଦେଶଗୁଡ଼ିକର ରାଜ୍ୟପାଳଙ୍କୁ ମଧ୍ୟ ସିରାଜୁଦ୍ଦିନ ନିଯୁକ୍ତ କରିବାର କ୍ଷମତା ପାଇଛନ୍ତି। ସେହିପରି ଆଫଗାନର ପ୍ରତିରକ୍ଷା ମନ୍ତ୍ରୀ ହେବେ ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ମହମ୍ମଦ ଓମାରଙ୍କ ପୁଅ ମୁଲ୍ଲା ୟାକୁବ। ସେ ମୁଲ୍ଲା ହିବାତୁଲ୍ଲାଙ୍କ ମାଦ୍ରାସାରେ ପାଠ ପଢ଼ୁଥିଲେ।
ତାଲିବାନର ମୁଖପାତ୍ରଭାବେ କାର୍ଯ୍ୟ କରୁଥିବା ଜବିଉଲ୍ଲା ମୁଜାହିଦଙ୍କୁ ପୂର୍ବରୁ ସୂଚନା ମନ୍ତ୍ରୀଭାବେ ନିଯୁକ୍ତି ଦିଆଯିବ ବୋଲି କୁହାଯାଉଥିଲା। କିନ୍ତୁ ସେ ଆଫଗାନର ମୁଖ୍ୟ ହସନ ଅଖୁନ୍ଦଙ୍କ ବରିଷ୍ଠ ମୁଖପାତ୍ରଭାବେ କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ହୋଇଛି। ମୁଲ୍ଲା ଆମୀର ଖାନ ମୁତ୍ତାକି ତାଲିବାନୀ ଶାସନର ବୈଦେଶିକ ମନ୍ତ୍ରୀ ହେବେ ବୋଲି ରିପୋର୍ଟ ମିଳିଛି।
ଏହି ରିପୋର୍ଟରେ ମୁଲ୍ଲା ଅବଦୁଲ ଘନି ବରାଦରଙ୍କ ବିଷୟରେ କିଛି କୁହାଯାଇନି। ପୂର୍ବରୁ ସେ ରାଷ୍ଟ୍ରପତି ହେବେ ବୋଲି କୁହାଯାଉଥିଲା। ଏହାକୁ ନେଇ ବିବାଦ ହେବାରୁ ତାଲିବାନ ସରକାର ଗଠନ ପ୍ରକ୍ରିୟା ମଧ୍ୟ ବିଳମ୍ବ ହୋଇଥିଲା। ଏବେ ତାଙ୍କୁ ପୂରା ସରକାରରୁ ବାଦ ଦିଆଯାଇଥିବା କୁହାଯାଉଛି।