ଏମଏସପି ଓ ମଣ୍ଡି ବ୍ୟବସ୍ଥା ଜାରି ରହିବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ନୂଆ କୃଷି ଆଇନ ସପକ୍ଷରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ନୂଆ ଆଇନ ଲାଗୁ ହେଲେ ମଧ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ଓ ମଣ୍ଡି ବ୍ୟବସ୍ଥା ବଳବତ୍ତର ରହିବ। ୯୦ ମିନିଟ ଧରି ମୋଦୀ ଧନ୍ୟବାଦ ପ୍ରସ୍ତାବ ଆଲେଚନାର ଉତ୍ତର ଦେଇ କଂଗ୍ରେସକୁ କଟାକ୍ଷ କରିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ, ବିଶ୍ୱ ବଦଳୁଛି। କରୋନା ମହାମାରୀ ସମୟରେ ୩ କୃଷି ଆଇନ ଲାଗୁ କରାଗଲା। କୃଷି ବ୍ୟବସ୍ଥାରେ ସୁଧାର ଆଣିବା ଲକ୍ଷ୍ୟରେ ଏଭଳି ପଦପେକ୍ଷ ନିଆଯାଇଛି। ଏଠାରେ ଯେଉଁ ଆଲୋଚନା କରାଯାଉଛି ବିଶେଷକରି କଂଗ୍ରେସ ସାଥୀ ମାନେ ଯେଉଁ ଆଲୋଚନା କରୁଛନ୍ତି ସେଥିିରେ ବିଷୟବସ୍ତୁକୁ ବିଶେଷ ଗୁରୁତ୍ୱ ଦିଆଯାଉନାହିଁ। ସେମାନଙ୍କ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରାଗଲେ ଭଲ ହେବ ବୋଲି ମୋଦୀ କଂଗ୍ରେସ ସଦସ୍ୟଙ୍କୁ ଲକ୍ଷ୍ୟ କରି କହିଥିଲେ। ସେ କହିଲେ କୃଷକ ମାନେ ଭୁଲଧାରଣାର ବଶବର୍ତ୍ତି ହୋଇଛନ୍ତି, କିନ୍ତୁ ସେମାନଙ୍କ ଆନ୍ଦୋଳନ ପବିତ୍ର। କୃଷକ ଭାଇ ମାନଙ୍କୁ ଏହି ସଦନ ଏବଂ ଏହି ସରକାର ଖୁବ ଆଦର କରେ। ତେଣୁ ଆନ୍ଦୋଳରତ କୃଷକ ମାନେ ସରକାରଙ୍କ ସହ ଆଲୋଚନା ପାଇଁ ଆଗୋଇ ଆସି ସମାଧାନର ପନ୍ଥା ବାହାର କରନ୍ତୁ। ଏହି ନୂଆ ଆଇନ ଇଚ୍ଛାଧୀନ ଏବଂ ବାଧ୍ୟତାମୂଳକ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଦୁଇ ମାସରୁ ଊଦ୍ଧ୍ୱର୍ କାଳ ଧରି କୃଷକ ମାନେ ଦିଲ୍ଲୀ ସୀମାରେ ଧାରଣାରେ ବସି ରହିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି କ୍ଷେତ୍ରରେ ସଂସ୍କାରକୁ ଦୃଷ୍ଟିରେ ରଖି ନୂଆ ଆଇନ ସଂସଦରେ ପାସ ହୋଇଛି। ସଂସଦରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣରେ ଭାରତର ସଂକଳ୍ପ ଶକ୍ତି ପ୍ରତିଫଳିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପରେ ଲୋକସଭାରେ ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଛି।