୧୮ରେ କୃଷକଙ୍କ ରେଳରୋକ

ନୂଆଦିଲ୍ଲୀ,ଏଜେନ୍ସି: ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଡି ବସିଥିବା କୃଷକ ମାନେ ସେମାନଙ୍କର ଆନ୍ଦୋଳନକୁ ଅଧିକ ତୀବ୍ର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୧୮ ତାରିଖରେ ଦେଶବ୍ୟାପି ୪ ଘଣ୍ଟିଆ ରେଳରୋକ କରାଯିବ ବୋଲି କୃଷକ ସଂଗଠନ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ଆନ୍ଦୋଳନର ନେତୃତ୍ୱ ନେଉଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ଫେବୃୟାରୀ ୧୨ରୁ ରାଜସ୍ଥାନରେ ଟୋଲ ଆଦାୟ ପାଇଁ ଅନୁମତି ଦିଆଯିବ। ଫେବୃୟାରୀ ୧୮ରେ ମଧ୍ୟାହ୍ଣ ୧୨ଟାରୁ ଅପରାହ୍ଣ ୪ ପର୍ଯ୍ୟନ୍ତ ୪ ଘଣ୍ଟିଆ ଦେଶବ୍ୟାପି ରେଳରୋକ କରାଯିବ। ଚଳିତ ମାସ ପ୍ରାରମ୍ଭରେ କୃଷକ ସଂଗଠନ ଗୁଡିକ ପକ୍ଷରୁ ୩ ଘଣ୍ଟିଆ ରାସ୍ତାରୋକ କରାଯାଇଥିଲା। ସହସ୍ରାଧିକ କୃଷକ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘଦିନ ଧରି ଆନ୍ଦୋଳନ ଚଳାଇଛନ୍ତି। ଗତବର୍ଷ ସେପ୍ଟେମ୍ବରରେ କେନ୍ଦ୍ର ସରକାର ୩ ନୂଆ କୃଷି ଆଇନ ଲାଗୁ କରିବା ପରଠାରୁ ଆନ୍ଦୋଳନ ଜାରି ରହିଛି।