କରୋନା ପାଇଁ ସାଂସଦଙ୍କ ଦରମା କଟିବ

ନୂଆଦିଲ୍ଲୀ, ଏଜେନ୍ସି: କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ସାଂସଦମାନଙ୍କର ବେତନ ବର୍ଷକ ପାଇଁ ୩୦ ପ୍ରତିଶତ ହ୍ରାସ କରିବା ନିମନ୍ତେ ଏକ ବିଲ୍ ମଙ୍ଗଳବାର ଲୋକସଭାରେ ସର୍ବସମ୍ମତି କ୍ରମେ ପାସ୍ ହୋଇଛି। ଗତ ସୋମବାର ଲୋକସଭାରେ ଏଥିନେଇ ସାଂସଦମାନଙ୍କର ବେତନ, ଭତ୍ତା ଓ ପେନସନ (ସଂଶୋଧନ) ବିଲ୍ ୨୦୨୦ ଆଗତ ହୋଇଥିଲା। ଏହା ପୂର୍ବରୁ ସରକାର ଏକ ଅଧ୍ୟାଦେଶ ଜାରି କରି ଗତ ଏପ୍ରିଲ ୧ରୁ ସାଂସଦମାନଙ୍କର ବେତନ ୩୦ ପ୍ରତିଶତ ହ୍ରାସ କରିଥିଲେ। ତେବେ ଅଧିକାଂଶ ବିରୋଧୀ ଦଳ ଏମପି ଲ୍ୟାଡ୍ ପାଣ୍ଠି ୨ ବର୍ଷ ପାଇଁ ବନ୍ଦ ହୋଇଥିବାରୁ ଏହାର ଘୋର ବିରୋଧ କରିଥିଲେ। କେନ୍ଦ୍ରସରକାର କାହିଁକି ଏଭଳି ପଦକ୍ଷେପ ନେଉଛନ୍ତି ବୋଲି ବିରୋଧୀ ଦଳର କେତେକ ସଦସ୍ୟ ପ୍ରଶ୍ନ ଉଠାଇଥିଲେ। ତୃଣମୂଳ କଂଗ୍ରେସ ନେତା ସୌଗତ ରାୟ ଓ ବିଜେଡି ସଦସ୍ୟ ପିନାକୀ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିଲେ। ପିନାକୀ ମିଶ୍ର କହିଥିଲେ, ସାଂସଦମାନଙ୍କର ବେତନ ହ୍ରାସରେ କାହାରି ଆପତ୍ତି ନାହିଁ ମାତ୍ର ଏମପି ଲ୍ୟାଡ୍ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିବାରୁ ସରକାର ଗୁରୁତ୍ୱର ସହ ଏଭଳି ନିଷ୍ପତ୍ତି ପୁନର୍ବିଚାର କରିବା ଉଚିତ୍। କଂଗ୍ରେସ, ବହୁଜନ ସମାଜ ପାର୍ଟି, ବାମପନ୍ଥୀ ଦଳ, ଡିଏମକେ, ୱାଇଏସଆର କଂଗ୍ରେସର ସଦସ୍ୟମାନେ ମଧ୍ୟ ଏମପି ଲ୍ୟାଡ୍ ବନ୍ଦକୁ ବିରୋଧ କରିଥିଲେ।