କୋରାପୁଟ,ଏନ୍ଏନ୍ଏସ୍: ଓଡ଼ିଶା ସୀମାକୁ ବାରମ୍ବାର ଆନ୍ଧ୍ର ପ୍ରଶାସନ ମାଡ଼ି ଆସୁଥିଲେ ମଧ୍ୟ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କହିଛନ୍ତି। କୋଟିଆ ପରେ ଆନ୍ଧ୍ରଦେଶ କୋରାପୁଟ ଜିଲ୍ଲାର ସମ୍ବାଇ ପଞ୍ଚାୟତର ସୁନାବେଡ଼ା, ନାରାୟଣପାଟଣା, ବନ୍ଧୁଗାଁ ବ୍ଲକର ଅନେକ ଅଞ୍ଚଳ ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଗ୍ରାମକୁ ଅନୁପ୍ରବେଶ କରି ଲୋକଙ୍କୁ ପ୍ରଲୋଭନ ଦେଖାଇ ଆନ୍ଧ୍ର ମୁହାଁ କରିବାକୁ ଉଦ୍ୟମ ଜାରି ରଖିଛି। ହେଲେ ସେଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଉନଥିବା ସାଂସଦ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଓଡ଼ିଶା-ଆନ୍ଧ୍ର ମଧ୍ୟରେ କୋଟିଆକୁ ନେଇ ବହୁ ବର୍ଷର୍ରୁ ବିବାଦ ଲାଗି ରହିିଥିବାବେଳେ ଗତ କିଛି ମାସ ମଧ୍ୟରେ କୋରାପୁଟ ଜିଲ୍ଲାର ନାରାୟଣପାଟଣା, ବନ୍ଧୁଗାଁ ଓ ପଟ୍ଟାଙ୍ଗି ବ୍ଲକର ବିଭିନ୍ନ ସୀମାନ୍ତ ଗ୍ରାମରେ ଆନ୍ଧ୍ର ପ୍ରଶାସନ ଅନୁପ୍ରବେଶ କରି ଓଡ଼ିଶା ମାଟିକୁ ନିଜର ବୋଲି ଦାବି କରୁଛି। ଓଡ଼ିଶା ସୀମାରେ ଥିବା ଜମି, ଜଙ୍ଗଲକୁ ଲୋକଙ୍କୁ ବାଣ୍ଟି ନିଜ ପକ୍ଷକୁ ଟାଣିବାକୁ ଉଦ୍ୟମ ଚଲାଇଛି। ନାରାୟଣପାଟଣାର ଲଙ୍ଗଳବେଡ଼ା ଓ ପଟ୍ଟାଙ୍ଗିର ସମ୍ବାଇ ପଞ୍ଚାୟତରେ କିଛିଦିନ ପୂର୍ବେ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ଓ ରାଜନୈତିକ ନେତା ପଶି ଆସି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ସାମିଲ କରାଇଥିଲେ। ଆନ୍ଧ୍ର ପ୍ରଶାସନର ଏଭଳି କାର୍ଯ୍ୟକୁ ବିରୋଧ କରି କୋରାପୁଟ ଜିଲ୍ଲା ପ୍ରଶାସନ ଓ ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ ସମ୍ବାଇରେ ସରକାରୀ କାର୍ଯ୍ୟକ୍ରମ ଆୟୋଜନ କରି ଓଡ଼ିଶାର ଓ ରାଜ୍ୟ ସରକାର ସେମାନଙ୍କର ସମସ୍ତ ସମସ୍ୟା ଦୂର କରିବାକୁ ପ୍ରତିଶୃତିବଦ୍ଧ ବୋଲି ଦୃଢ଼ତାର ସହ କହିଥିଲେ। ତେଣୁ ଆନ୍ଧ୍ର ପ୍ରଶାସନର ପ୍ରଲୋଭନରେ ନ ପଡ଼ିବାକୁ ବିଧାୟକ କହିଥିଲେ। କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ଲଲିତ କୁମାର କହଁର, ସୁନାବେଡ଼ା ଏସଡିପିଓ ନିରଞ୍ଜନ ବେହେରା, ପଟ୍ଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ ପ୍ରମୁଖଙ୍କ ଉପସ୍ଥିତିରେ ଆନ୍ଧ୍ରର ସୂଚନାଫଳକକୁ କାଢ଼ି ଆନ୍ଧ୍ର ସୀମାରେ ଏବଂ ଓଡ଼ିଶା ଫଳକକୁ ଓଡ଼ିଶା ସୀମାରେ ପୋତା ଯାଇଥିଲା। ସେତେବେଳେ ଆନ୍ଧ୍ରର କିଛି ମହିଳା ଆସି ବିରୋଧ କରିଥିଲେ। ଅନ୍ୟପଟେ ଗତକାଲି ଆନ୍ଧ୍ରର ତେଲୁଗୁ ଦେଶମ ପାର୍ଟ ଓ ଅନ୍ୟାନ୍ୟ ଦଳର ନେତା ସୁନାବେଡ଼ାରେ ବୈଠକ କରି ଓଡ଼ିଶା ଲୋକଙ୍କୁ ଜମି ନ ଦେବାକୁ ତାଗିତ କରିଥିବା ଜଣାପଡ଼ିଛି। ଆନ୍ଧ୍ରର ଏପରି ଦାଦାଗିରିରେ ସୀମାବର୍ତ୍ତୀ ଓଡ଼ିଶା ଗ୍ରାମର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିବାବେଳେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ସାଂସଦ ଦାବି କରିଛନ୍ତି।