ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ସାଂସଦ ଓ ବିଧାୟକ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସାହାରପଡ଼ାଠାରୁ ଚତୁରୀ ସାହି ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେନ୍ଦୁଝର ସାଂସଦ ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ ଓ ସମ୍ମାନିତ ଅତିଥିଭାବେ ପାଟଣା ବିଧାୟକ ଜଗନ୍ନାଥ ନାୟକ ଯୋଗଦେଇ ରାସ୍ତା କାମ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସାହାରପଡ଼ାଠାରୁ ଚତୁରୀ ସାହି ମଧ୍ୟରେ ଥିବା ବଡ଼ବାଲିପୋଶି ଦେଇ ଯାଇଥିବା ୪ କିମି ରାସ୍ତା ପାଇଁ ୨ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହାଦ୍ୱାରା ଆଦିବାସୀ ଅଧୁଷିତ ଶଙ୍ଖୁଆ ଓ ସାହାରପଡ଼ା ପଞ୍ଚାୟତ ଏବଂ କରଞ୍ଜିଆ ବ୍ଲକର ଲୋକେ ଉପକୃତ ହେବେ ବୋଲି ବିଧାୟକ ପ୍ରକାଶ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷା ରମ୍ଭାବତୀ ଦେହୁରୀ, ଉପାଧ୍ୟକ୍ଷା କିରଣବାଳା ସିଂ, ବ୍ଲକ ବିଜେଡି ସଭାପତି ଗୋବିନ୍ଦ ଚନ୍ଦ୍ର ମହାନ୍ତ, ଜିଲ୍ଲା ଉପସଭାପତି ଦିଲ୍ଲୀପ ସାହୁ, ଯୁବନେତା ସତ୍ୟନାରାୟଣ ପଣ୍ଡା ଓ ହେମନ୍ତ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ।