ସାତଦିନର ପୁଅକୁ ୨୦ହଜାର ଟଙ୍କାରେ ବିକିଲା ମା’

ବାଲେଶ୍ୱର,ଏନଏନଏସ୍: ପରିବାର ପ୍ରତିପୋଷଣର ଅକ୍ଷମତା ଦର୍ଶାଇ ଜଣେ ମା’ ତା’ର ୭ଦିନର ଶିଶୁ ପୁତ୍ରକୁ୨୦ହଜାର ଟଙ୍କାରେ ବିକ୍ରୀ କରିଦେଇଥିବା ଜଣାପଡ଼ିଛି। ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଟାଉନ ଥାନା ଅର୍ନ୍ତଗତ ଦରଘା ପଡ଼ିଆରେ, ଯାହାକି ଏବେ ସହରରେ ଚର୍ଚାର ବିଷୟ ପାଲଟିଛି। ଏନେଇ ପରିବାର ପକ୍ଷରୁ ବର୍ତମାନ ସୁଦ୍ଧା ଥାନାରେ କୌଣସି ଅଭିଯୋଗ ହୋଇନଥିଲେ ସୁଦ୍ଧା ଉକ୍ତ ୭ଦିନର ଶିଶୁ ପୁତ୍ରକୁ ଫେରାଇ ଆଣିବାର ଚେଷ୍ଟା କରାଯାଉଛି। ଅପରପେକ୍ଷ ଶିଶୁଟିକୁ ୨୦ହଜାର ଟଙ୍କା ବଦଳରେ ନେଇଥିବା ଲୋକ ଜଣଙ୍କ କାଗଜରେ ଦସ୍ତଖତ କରି ନେଇଥିବାରୁ ଛୁଆଟିକୁ ଫେରାଇବେ ନାହିଁ ବୋଲି ରୋକ ଠୋକ କହିଥିବା ବେଳେ କୋର୍ଟରୁ ବିଚାର କରି ନେବେ ବୋଲି ବିକ୍ରୀ କରିଥିବା ଶିଶୁର ମା’ କହିଛନ୍ତି।
ସୂଚନା ଅନୁଯାୟୀ, ବାଲେଶ୍ୱର ଟାଉନ ଥାନା ଅର୍ନ୍ତଗତ ଦରଘା ପଡ଼ିଆ ନିକଟରେ ପିରୁ ଖାଁ ଏବଂ ତାଙ୍କ ପତ୍ନୀ ହୁସେନ ଆତୁନ ବିବଙ୍କ ପରିବାର ରୁହନ୍ତି। ତାଙ୍କର ମୋଟ ୭ଜଣ ପିଲା ରହିଛନ୍ତି। ସେଥି ମଧ୍ୟରୁ ୬ଜଣ ପୁଅ ଥିବା ବେଳେ ଜଣେ ମାତ୍ର ଝିଅ ରହିଛନ୍ତି। ତେବେ ଶୁକ୍ରବାର ସେ ପରିବାରର ପ୍ରତିପୋଷଣର ଅକ୍ଷମତା ପ୍ରଦର୍ଶନ କରି ତାଙ୍କର ୭ଦିନର ଶିଶୁ ପୁତ୍ରକୁ ପୁଲବଜାର ଅଂଚଳର କୁଟୁନ ବଉ ନାମକ ଜଣେ ମହିଳାଙ୍କୁ ୨୦ହଜାର ଟଙ୍କାରେ ବିକ୍ରି କରିଛନ୍ତି ବୋଲି ସ୍ୱୀକାର କରିଛନ୍ତି। ଏହା ସହ ସେ ପିଲାଟିକୁ ବିକ୍ରୀ କରିବା ସମୟରେ ଏକ ରାଜିନାମା କାଗଜରେ ଦସ୍ତଖତ ମଧ୍ୟ କରିଛନ୍ତି ବୋଲି କହିଛନ୍ତି। ଅନ୍ୟପଟେ ଉକ୍ତ ପୁଅଟିକୁ ବିକ୍ରୀ କରିଥିବା ଖବର ପାଇ ତାଙ୍କ ସମ୍ପର୍କୀୟମାନେ ପୁଲବଜାର ଅଂଚଳର କୁଟୁନ ଘରକୁ ଯାଇ ଉକ୍ତ ପିଲାଟିକୁ ଫେରାଇ ଦେବାକୁ କହିଥିଲେ। ହେଲେ ହୁସେନ କାଗଜରେ ଦସ୍ତଖତ କରି ନେଇଥିବାରୁ ସେ ଉକ୍ତ ପୁଅଟିକୁ ଫେରାଇବେ ନାହିଁ ବୋଲି ରୋକଠୋକ କହିଛନ୍ତି। ହେଲେ ବର୍ତମାନ ପର୍ଯ୍ୟନ୍ତ ଥାନାରେ ଏନେଇ କୌଣସି ସେମାନଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇ ନାହିଁ।

୭ଦିନର ପୁଅକୁ ବିକ୍ରୀ କରିଥିବା ହୁସେନଙ୍କ କହିବା ଅନୁସାରେ,ତାଙ୍କ ପରିବାର ବହୁତ ଗିରିବ ପରିବାର। ସେମାନେ ଏକ ଭଙ୍ଗା ଦଦରା ଘରେ ରହୁଛନ୍ତି। ଏପରିକି ଚାଳ ଛପର ଭାଙ୍ଗି ଯାଇଛି। ତାଙ୍କ ସ୍ୱାମୀ କବର ଖୋଳିବା କାମ କରିବା ସହ ଅନ୍ୟାନ୍ୟ କାମ କରି ଦିନକୁ ଯାହା ୨ଶହରୁ ୩ଶହ ଟଙ୍କା ରୋଜଗାର କରନ୍ତି ଏବଂ ସେ ନିଜେ ପରଘରର ବାସିକାମ କରି ସେଥିରୁ ଯାହା ଅର୍ଥ ଉପାର୍ଜନ କରନ୍ତି ସେଥିରେ ତାଙ୍କ ପରିବାରର ଗୁଜୁରାଣ ହୋଇଥାଏ। ଏମିତିକି ତାଙ୍କ ସ୍ୱାମୀଙ୍କୁ ସବୁ ଦିନେ କାମ ମଧ୍ୟ ମିଳିନଥାଏ। ଏଣୁ ସେମାନେ ସବୁବେଳେ ଅଭାବ ଅନାଟନ ମଧ୍ୟରେ ରହିଥାଆନ୍ତି। ପିରୁଖାଁଙ୍କ ୭ଜଣ ସନ୍ତାନ ଥିବାରୁ ସେମାନଙ୍କର କୌଣସି ଦେହ ଖରାପ ହେଲେ ସେମାନଙ୍କ ଠିକ ଭାବେ େଔଷଧ ମଧ୍ୟ ଦେଇ ପାରନ୍ତି ନାହିଁ। ଏଣୁ ସେ ବାଧ୍ୟ ହୋଇ ଏହି ଅଭାବ ଅନଟନକୁ କିଛି ସମୟ ପାଇଁ ଦୂରେଇବାକୁ ଯାଇ ନିକଟରେ ଥିବା ଏକ ସ୍କୁଲର ଅଙ୍ଗନୱାର୍ଡ କର୍ମଚାରୀଙ୍କ ସହାୟତାରେ ଫୁଲବଜାର ଅଂଚଳର କଟୁନ ବଉକୁ ନିଜ ଇଛାରେ ବିକ୍ରୀ କରିଦେଇଥିବା କହିଛନ୍ତି।

ଅନ୍ୟପେଟ ତାଙ୍କର ଏପରି ଅବସ୍ଥା ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ କେବେ କୌଣସି ପ୍ରକାର ସହାୟତା ପ୍ରଦାନ କରାଯାଇ ନାହିଁ। ଏପରିକି ତାଙ୍କ ସରକାରୀ ସହାୟତାରେ ଘରଟିଏ ମଧ୍ୟ ପ୍ରଦାନ କରାଯାଇ ନାହିଁ, ବିପିଏଲ କାର୍ଡ ମଧ୍ୟ ନାହିଁ। ଏଣୁ ବାଧ୍ୟ ହୋଇ ତାଙ୍କ ଘର ଚଳାଇବା ପାଇଁ ସେ ତାଙ୍କର ପିଲାକୁ ବିକ୍ରୀ କରିଛନ୍ତି। ତାଙ୍କ ଘର ନିକଟରେ ଖୋଦ ବାଲେଶ୍ୱର ସଦର ବିଧାୟକ ରହୁଛନ୍ତି। ହେଲେ କେବେ ବି ତାଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇ ନାହାନ୍ତି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି। ଅନ୍ୟପେଟ ତାଙ୍କ ସମ୍ପର୍କୀୟ ଲୋକେ ତାଙ୍କୁ ଏକ ଘର ଯୋଗାଇଦେବା ସହ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ଦାବି କରିଛନ୍ତି।