୪ ବର୍ଷର ଶିଶୁ କନ୍ୟାକୁ ହତ୍ୟା କଲା ଜନ୍ମ କଲା ମା’

ବାଲିଗୁଡ଼ା ,ଏନ୍‌ଏନ୍‌ଏସ୍‌: ୪ ବର୍ଷର ଶିଶୁ କନ୍ୟାକୁ ନୃଶଂସ ଭାବେ ଜନ୍ମ କଲା ମା’ ହତ୍ୟା କରିଛି । ଏପରି ଏକ ହୃଦୟ ବିଦାରକ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ଗୁଟିଙ୍ଗିଆ ଗ୍ରାମରେ ଦେଖିବାକୁ ମିଳିଛି । ଗତ ଶନିବାର ନାତୁଣୀ ନିଖୋଜ ହୋଇଥିବା ନେଇ ଅଜା ବିପିନି ବେହେରା ସାରଙ୍ଗଗଡ଼ ଥାନାରେ ଏତଲା ଦେଇଥିଲେ । ପରେ ପୁଲିସ ଖୋଜାଖୋଜି ଚଲାଇ ଥିବାବେଳେ ମଙ୍ଗଳବାର ଶିଶୁଟିର ମୃତଦେହ ମାଟି ତଳୁ ମିଳିଛି । ଉକ୍ତ ଘଟଣାକୁ ନେଇ ଶିଶୁଟିର ମା’କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା ଜାରି ରଖିଛି ।

ମିଳିଥିବା ରିପୋର୍ଟ ମୁତାବକ, ରାକେଶ ଦଣ୍ଡିଆ ନାମକ ଜଣେ ବ୍ୟକ୍ତି ବିବାହର କିଛି ଦିନ ସୁରୁଖୁରୁରେ ଜୀବନ ବିତାଇବା ପରେ ହଠାତ୍ ପାରିବାରିକ ସମସ୍ୟା କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ଆଉ ଦୀର୍ଘ ୪ ବର୍ଷ ହେବ ସ୍ୱାମୀ-ସ୍ତ୍ରୀ ଅଲଗା ରହୁଥିଲେ । ଶନିବାର କୌଣସି କାରଣବଶତଃ ମା’ ପଦ୍ମିନୀ ଦଣ୍ଡିଆ ନିଜ ୪ ବର୍ଷର ଝିଅ ସୁରେଖା ଦଣ୍ଡିଆକୁ ହାତରେ ମାରି ଗାଁ ନିକଟସ୍ଥ ବାଡ୍ରିମୁଣ୍ଡା ଜଙ୍ଗଲରେ ପୋତ ିଦେଇଥିବା ଜଣାପଡ଼ିଥିଲା । ଖବର ପାଇ ସାରଙ୍ଗଡ଼ ପୁଲିସ ଏହାର ସନ୍ଧାନ କରିଥିଲା ଆଉ ମାଟି ତଳୁ ୪ ବର୍ଷ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ନେଇ ସାରଙ୍ଗଗଡ଼ ଆଇଆଇସି ବଧୁଲତା ବିଶ୍ୱାଳ ପ୍ରକାଶ କରିଛନ୍ତି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।