ଶାଶୁ-ବୋହୂଙ୍କୁ ଗଳା କାଟି ହତ୍ୟା ଘଟଣା: ଟୋକେଇ ପାଇଁ ଜୀବନ ନେଲା ପୁତୁରା

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ନୂଆପଡ଼ା ଗାଁରେ ଡବଲ ମର୍ଡର ଘଟଣାରୁ ପରଦା ଉଠିଛି । ଟୋକେଇ ନ ଦେବାରୁ ଜେଜେମା’ ପ୍ରେମଶିଳା ଓ ଖୁଡ଼ି ଅମ୍ବିକା ମେହେରାଙ୍କୁ ଗଳା କାଟି ପୁତୁରା ଜଗନ୍ନାଥ ହତ୍ୟା କରିଛି । ପୁଲିସ ନିକଟରେ ନିଜେ ଅଭିଯୁକ୍ତ ଏହି କଥା ସ୍ୱୀକାର କରିଥିବା ଜଣାପଡ଼ିଛି । ପୁଲିସ ଜଗନ୍ନାଥ ମେହେରଙ୍କୁ ଅଟକ ରଖି ଅଧିକ ତଥ୍ୟ ଜାଣିବା ପାଇଁ ପଚରାଉଚୁରା ଜାରି ରଖିଛି ।

ମିଳିଥିବା ରିପୋର୍ଟ ମୁତାବକ, ଗତକାଲି ଜଗନ୍ନାଥ ଅମ୍ବିକାଙ୍କ ଘରେ ପହଞ୍ଚି ଖୁଡ଼ିଙ୍କୁ ସାର ପକାଇବା ପାଇଁ ଟୋକେଇ ମାଗିଥିଲା । ଅମ୍ବିକା ଟୋକେଇ ଦେବା ପାଇଁ ମନା କରିବାରୁ ପୁତୁରା ଜଗନ୍ନାଥ ରାଗି ଯାଇଥିଲା । ଯାହା ମାଗିଲେ ତୁମେ ଦେଉନ କହି ରୋଷେଇ ଘରେ ଥିବା ଛୁରୀ ଆଣି ଖୁଡ଼ିର ବେକକୁ କାଟି ଦେଇଥିଲା ।

ବୋହୂକୁ ଜଗନ୍ନାଥ ଆକ୍ରମଣ କରୁଥିବା ଦେଖି ଶାଶୁ ପ୍ରେମଶିଳା ବାଧା ଦେଇଥିଲେ । ପରେ ଅଭିଯୁକ୍ତ ଛୁରୀରେ ତାଙ୍କ ବେକକୁ ମଧ୍ୟ କାଟି ଦେଇଥିଲା ଓ ଛୁରୀକୁ ରୋଷେଇ ଘରେ ରଖିକି ପଳାଇ ଯାଇଥିଲା । ଅମ୍ବିକାଙ୍କ ସ୍ୱାମୀ ସୁଧାଂଶୁ ନୂଆପଡ଼ା ଗାଁ ଛକରେ ସୁନା ଦୋକାନ କରିଛନ୍ତି । ସେ ସକାଳେ ଦୋକାନକୁ ଯିବା ପରେ ଏହି ଘଟଣା ଘଟିଥିଲ । ଗତକାଲି ପୁଲିସ ଜଗନ୍ନାଥ ଓ ସୁଧାଂଶୁଙ୍କୁ ଅଟକ ରଖି ଦୀର୍ଘ ସମୟ ଧରି ପଚରାଉଚୁରା କରିଥିଲା । ରାତିରେ ସୁଧାଂଶୁଙ୍କୁ ପୁଲିସ ଛାଡ଼ି ଦେଇଥିବା ବେଳେ ଜଗନ୍ନାଥ ପୁଲିସ ନିକଟରେ ସବୁ ସତ ଓଗାଳିିଥିଲା । ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବଲାଙ୍ଗିର ଏସପିଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଘଟଣା ସମ୍ପର୍କରେ ଛାନଭିନ କରାଯାଇଥିଲା। ସେ ହତ୍ୟା କରିଥିବା ସ୍ୱୀକାର କରିଛି।ଏନେଇ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି।