ମା’ କରୋନା ପଜିଟିଭ, ଦୁର୍ଘଟଣାରେ ବାପା ମୃତ, ବେସାହାରା ସନ୍ତାନ..

ନୂଆଦିଲ୍ଲୀ: କରୋନାର ସଙ୍କଟ କାଳରେ ତାମିଲନାଡ଼ୁରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ୧୦ ବର୍ଷର ଏକ ଶିଶୁ ପିତାଙ୍କ ଶବ ପାଖରେ ବସି କରୋନା ଆକ୍ରାନ୍ତ ମା’ ଓ ଜେଜେମାଆଙ୍କ ପାଇଁ ଅପେକ୍ଷା କରିଥିଲା। ଦୁର୍ଘଟଣାରେ ଶିକାର ବାପାଙ୍କ ମୃତ୍ୟୁ ଘଟିବା ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଜୀବାର ଜୀବନର ସବୁଠୁ ଦୁଃଖଦ ଘଟଣା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡ଼ୁର ବିଲ୍ଲୁପୁରମ ଜିଲ୍ଲାରେ।

ମିଳିଥିବା ରିପୋର୍ଟ ମୁତାବକ, ଜୀବାର ପିତା ଅୟାନ୍ନାରଙ୍କୁ ଦୁର୍ଘଟଣା ପରେ ଚେନ୍ନାଇର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ଗତ କିଛିମାସ ହେବ ସେ ବିଛଣାରେ ପଡ଼ି ରହିଥିଲେ। ହସ୍ପିଟାଲରେ ମା’ ଓ ପତ୍ନୀ ତାଙ୍କର ଦେଖାଶୁଣା କରୁଥିଲେ। କିନ୍ତୁ କରୋନାକୁ ଦୃଷ୍ଟିରେ ରଖି କିଛିଦିନ ପୂର୍ବରୁ ଅୟାନ୍ନାରଙ୍କୁ ହସ୍ପିଟାଲରୁ ଘରକୁ ଅଣାଯାଇଥିଲା। କିନ୍ତୁ ଘରକୁ ପେରିବା ପରେ ତାଙ୍କ ମା’ ଓ ପତ୍ନୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ପରେ ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ମେ’ ୮ ତାରିଖରେ ଅୟାନ୍ନାରଙ୍କ ମୃତ୍ୟୁ ହେବା ପରେ ପିତାଙ୍କ ପାର୍ଥୀବ ଶରୀର ପାଖରେ ବସି ନିରୀହ ଜୀବା ମା’ ଓ ଜେଜେମାଆଙ୍କର ଅପେକ୍ଷା କରିଥିଲା। ଅୟନ୍ନାରଙ୍କ ଶବ ସତ୍କାର ପାଇଁ ତାଙ୍କ ପତ୍ନୀ ଓ ମା’ଙ୍କୁ ସାବଧାନତା ସହ ପିିପିଇ କିଟ୍ ପିନ୍ଧାଇ ଅଣାଯାଇଥିଲା।

ଜୀବାଙ୍କୁ ସମ୍ପୂର୍ଣ୍ଣ ଯାଞ୍ଚ କରାଯିବା ପରେ ଅୟାନ୍ନାରଙ୍କ ଏକ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ପୀଡ଼ିତ ପରିବାରକୁ ପ୍ରଶାସନ ତରଫରୁ ୫ ହଜାର ଟଙ୍କା, ୨୦ କିଲୋ ଚାଉଳ, ପନିପରିବା ଓ ଆବଶ୍ୟକ ସମାଗ୍ରୀ ପ୍ରଦାନ କରାଯାଇଛି। ଏଥି ସହିତ ଚିକିତ୍ସା ପରେ ମା’ ଓ ଜେଜେମାଆ ଘରକୁ ଫେରିବେ ବୋଲି ପିଲାଟିକୁ କୁହାଯାଇଛି।