ମାଲକାନଗିରି ,ଏନ୍ଏନ୍ଏସ୍ : ଗତ ୨୬ ତାରିଖ ଦିନ ମାଲକାନଗିରି ଜିଲ୍ଲାର ଓର୍କେଲ ଥାନା ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଠାରେ ଅନିତା ମହାରଣା ନାମକ ମହିଳାଙ୍କୁ ହତ୍ୟା ପରେ ପୋଡି ଦେବା ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ଓର୍କେଲ ପୁଲିସ ମୃତକ ମହିଳାଙ୍କ ସ୍ୱାମୀ ଓ ଶାଶୂଙ୍କୁ ଗିରଫ କରିଛି । ଏହା ଏକ ଯୌତୁକ ଜନିତ ହତ୍ୟା କାଣ୍ଡ ବୋଲି ଜଣାପଡିଛି ।
ପୁଲିସ ସୂଚନା ଅନୁଯାୟୀ, ଗତ ୨୦୧୫ ମସିହା ଜୁନ ୧୬ ତାରିଖରେ କୁଡୁମୁଲୁଗୁମା ନିବାସୀ କାଳୁ ମହାରଣାଙ୍କ ପୁତ୍ର ଗୋବିନ୍ଦ ମହାରଣାଙ୍କ ସହ ଗଞ୍ଜାମ ଜିଲ୍ଲାର ହିଞ୍ଜୁଳିକାଟୁ ଗ୍ରାମର ଅନିତା ମହାରଣାଙ୍କ ବିବାହ ହୋଇଥିଲା। ତେବେ ବାରମ୍ବାର ଗୋବିନ୍ଦଙ୍କ ପରିବାର ବର୍ଗ ଅନିତାଙ୍କୁ ଯୌତୁକ ପାଇଁ ନିର୍ଯ୍ୟାତନା ଦେଇ ଆସୁଥିଲେ ।
ତେବେ ଗତ ଜୁନ ୨୬ ତାରିଖ ଦିନ ରାତିରେ ଯୌତୁକ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ତେବେ ଗୋବିନ୍ଦ ଓ ତାଙ୍କ ମା’ ଲକ୍ଷ୍ମୀ ମହାରଣା ମିଶି ଅନିତାଙ୍କୁ ଏକ ଆଳୁ କାଟିବା ଧାରୁଆ ଅସ୍ତ୍ରରେ ପ୍ରହାର କରିଥିଲେ। ଅନୀତା ସଙ୍ଗେ ସଙ୍ଗେ ଅଚେତ ହେବା ପରେ ତାଙ୍କ କାନ ଫୁଲ ଓ ମଙ୍ଗଳସୁତ୍ର କାଡି ନେଇଥିଲେ। ପରେ ତାଙ୍କୁ ପାଇଖାନାକୁ ନେଇ ତାଙ୍କ ଶରୀରକୁ ପାଡି ଦେଇଥିଲେ। ପରେ ଏହାକୁ ଆତ୍ମହତ୍ୟା ରୂପ ଦେବାପାଇଁ ଚେଷ୍ଟା କରିଥିଲେ । ତେବେ ତାଙ୍କ ପରିବାର ବର୍ଗ ବ୍ରହ୍ମପୁରରୁ ଆସିବା ପରେ ତାଙ୍କ ପରିବାରଙ୍କ ସମ୍ପର୍କୀୟଙ୍କ ସମ୍ମୁଖରେ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।
ମୃତକଙ୍କ ଭାଇଙ୍କ ଏତଲା ଅନୁଯାୟୀ ପୁଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରି ସ୍ୱାମୀ ଓ ଶାଶୂଙ୍କୁ ପଚରା ଉଚୁରା କରିବା ଫଳରେ ଉଭୟ ଯୌତୁକ ପାଇଁ ହତ୍ୟା କରିଥିବା ସ୍ୱୀକାର କରିଥିଲେ । ହତ୍ୟାରେ ବ୍ୟବହାର ହୋଇଥିବା ଧାରୁଆ ଅସ୍ତ୍ର, କାନଫୁଲ, ମଙ୍ଗଳସୁତ୍ର ଆଦି ପୁଲିସ ଜବତ କରିଛି। ଅଭିଯୁକ୍ତ ଗୋବିନ୍ଦ ଓ ଲକ୍ଷ୍ମୀ ମହାରଣାଙ୍କୁ ପୁଲିସ ଗିରଫ କରିଥିବା ମାଲକାନଗିରି ଏସପି ରିଷିକେଶ ଡି ଖିଲାରୀ ଏକ ପ୍ରେସ ବାର୍ତ୍ତାରେ ପ୍ରକାଶ କରିଛନ୍ତିି ।