କୁଚିଣ୍ଡା,ଏନ୍ଏନ୍ଏସ୍: ହାତୀ ଆକ୍ରମଣରେ ମା’-ପୁଅ ମୃତ ଓ ବାପା ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅଖରାଦାନ ପଡ଼ା ନିକଟରେ। ଇଟା ପକାଇବା ପାଇଁ ଶ୍ରମିକ ଭାବେ ୩ ଜଣ ଯାକ ଉକ୍ତ ଗାଁ’ ନିକଟରେ ଏକ ଅସ୍ଥାୟୀ କୁଡ଼ିଆ କରି ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ଆସି ବାପ, ମା’ ଓ ପୁଅକୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ମା’ ଓ ପୁଅଙ୍କ ମୃତ୍ୟୁ ହୋଇଥିଲା।
ସେହିପରି ବାପା ଦୌଡ଼ି ପଳାଉଥିବା ବେଳେ ହାତୀ ତାଙ୍କୁ କଚାଡ଼ି ଦେଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ଏଥିସହିତ ହାତୀ କୁଡ଼ିଆଟିକୁ ସମ୍ପୂର୍ଣ୍ଣ ନଷ୍ଟ କରି ଜଙ୍ଗଲ ଭିତରକୁ ପଳାଇଥିବା ଜଣାପଡ଼ିଛି। ଗୁରୁତର ବାପାଙ୍କୁ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାକୁ ନିଆଯାଇଛି। ଘଟଣାସ୍ଥଳରେ ପୁଲିସ ଓ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତ ଦେହକୁ ଜବତ କରିଛି।