ପଡୋଶୀଙ୍କ ଘରେ ନିଆଁ ଲିଭାଇବାକୁ ଯାଇ ବିଦ୍ୟୁତ ଆଘାତରେ ମାଆ-ପୁଅ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପଡୋଶୀଙ୍କୁ ସାହାଯ୍ୟ କରିବାକୁ ଯାଇ ବିଦ୍ୟୁତ ଆଘାତରେ ମାଆ-ପୁଅଙ୍କ ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ନଳୀପୁରରେ ଏପରି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ, ନଳୀପୁର ଗାଁର ସାରା ବିବିଙ୍କ ଘରେ ବିଳମ୍ବିତ ରାତିରେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଗାଁ ଲୋକ ଓ ଅଗ୍ନିଶମ ବାହିନୀର ଉଦ୍ୟମରେ ନିଆଁକୁ ଆୟତ୍ତ ମଧ୍ୟ କରାଯାଇଥିଲା। ତେବେ ଅଗ୍ନିକାଣ୍ଡ ପରେ ଛାଳଘର ପାଖରେ ଥିବା ଟିଣଛପର ଘରେ ବିଦ୍ୟୁତ ଚାର୍ଜ ହୋଇଯାଇଥିଲା। ବିଦ୍ୟୁତ ତାର ଛିଡି ପଡିଥିଲା। ତେବେ ଅଗ୍ନିକାଣ୍ଡର ଖବର ପାଇ ନିଆଁ ଲିଭାଇବାକୁ ସଂପର୍କୀୟଙ୍କ ଘରେ ପହଞ୍ଚିଥିଲେ ପଡୋଶୀ ମାଆ ଓ ପୁଅ। ଘର ଭିତରକୁ ଯିବା ବେଳେ ଉଭୟ ମାଆ ପୁଅ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା। ମୃତକ ହେଲେ ଚାନ୍ଦ ବିବି ଓ ତାଙ୍କ ୭ ବର୍ଷର ପୁଅ। ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବାଲିଚନ୍ଦ୍ରପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।