ମରକ୍କୋକୁ ହରାଇ ଫାଇନାଲରେ ଫ୍ରାନ୍ସ, ଆର୍ଜେଣ୍ଟିନା ସହ ଟ୍ରଫି ଟକ୍କର

ଦୋହା,ଏଜେନ୍ସି: କତାରରେ ଚାଲିଥିବା ଫିଫା ବିଶ୍ବକପ ଫାଇନାଲ ମୁକାବିଲା ପାଇଁ ଲାଇନ ଅଫ୍ ଚୂଡାନ୍ତ ହୋଇସାରିଛି । ଡିସେମ୍ବର ୧୮ ତାରିଖରେ ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ଟ୍ରଫି ଟକ୍କର ହେବ । ବୁଧବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଦ୍ବିତୀୟ ସେମି ଫାଇନାଲରେ ଜବରଦସ୍ତ ବିଜୟ ହାସଲ କରିଛି ଫ୍ରାନ୍ସ । ମରକ୍କୋକୁ ୨-୦ ଗୋଲରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଛି ଫ୍ରାନ୍ସ । ଫିଫା ବିଶ୍ବକପ ଇତିହାସରେ ଚତୁର୍ଥ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ଫ୍ରାନ୍ସ । ୧୯୯୮ରେ ପ୍ରଥମ ଥର ଫାଇନାଲରେ ପ୍ରବେଶ କରି ଚାମ୍ପିଅନ ହୋଇଥିଲା । ଫାଇନାଲରେ ଦୁଇଥର ଚାମ୍ପିଅନ ଆର୍ଜେଣ୍ଟିନାକୁ ଭେଟିବ ଫ୍ରାନ୍ସ ।

ଡିଫେଣ୍ଡିଂ ଚମ୍ପିଅନ ଫ୍ରାନ୍ସ ଆରମ୍ଭରୁ ଆଧିପତ୍ୟ ବିସ୍ତାର କରିଥିଲା । ମ୍ୟାଚ ଆରମ୍ଭର ପଞ୍ଚମ ମିନିଟରେ ଗୋଲ ଖାତା ଖୋଲିଥିଲା ଫ୍ରାନ୍ସ । ରାଫେଲ ଭରାନେଙ୍କଠୁ ଏକ ପାସ ପାଇ ଆଣ୍ଟୋନି ଗ୍ରୀଜମାନ ସାଥୀ ଖେଳାଳି କିଲିଆନ ଏମବାପେଙ୍କ ନିକଟକୁ ବଲ ପଠାଇଥିଲେ । ଏମବାପେ ଗୋଲ କରିବାକୁ ପ୍ରୟାସ କରି ବିଫଳ ହୋଇଥିଲେ । ବଲ ଆଉଟ ଲାଇନ ଆଡକୁ ଯିବା ସମୟରେ ଡିଫେଣ୍ଡର ଥିଓ ହର୍ଣ୍ଣାଣ୍ଡେଜ ଗୋଲ କରିଥିଲେ । ମରକ୍କୋ ଗୋଲ ପରିଶୋଧ କରିବାକୁ ଜୋରଦାର ଲଢେଇ କରିଥିଲା ହେଲେ ଫ୍ରାନ୍ସ ଆକ୍ରମଣରେ ମରକ୍କୋ ଖେଳ ଫିକା ପଡି ଯାଇଥିଲା । ପ୍ରଥମାର୍ଦ୍ଧରେ ମରକ୍କୋ ପ୍ରୟାସ କରିଥିଲେ ବି ଖାତା ଖୋଲି ପାରିନଥିଲା ।

ଦ୍ବିତୀୟାର୍ଦ୍ଧରେ ପ୍ରଥମ ୧୫ ମିନିଟ ମରକ୍କୋ ନିୟନ୍ତ୍ରଣରେ ବଲ ରହିଥିଲା । ବାରମ୍ବାର ଗୋଲ କରିବାକୁ ପ୍ରୟାସ କରିଥିଲେ ବି ଫ୍ରାନ୍ସ ଖେଳାଳିଙ୍କ ଜବରଦସ୍ତ ଡିଫେଣ୍ଡ ଦଳ ପାଇଁ ବାଧା ସୃଷ୍ଟି କରିଥିଲା । ଧୀରେ ଧୀରେ ଫ୍ରାନ୍ସ ବଲକୁ ନିୟନ୍ତ୍ରଣକୁ ଆଣିଥିଲା । ମରକ୍କୋ ଖେଳାଳି ଯେତେ ଚେଷ୍ଟା କରିଥିଲେ ବି ଖାତା ଖୋଲି ପାରି ନଥିଲେ । ୭୯ ତମ ମିନିଟରେ ଏମବାପେ ମରକ୍କୋଠୁ ବଲ ଛଡାଇ ଆଣି ସାଥୀ ଖେଳାଳିଙ୍କୁ ପାସ କରିଥିଲେ । ଏହି ସମୟରେ ରାନଡାନ କୋଲୋ ମୁଆନି ବଲକୁ ଗୋଲ ପୋଷ୍ଟକୁ ପଠାଇଥିଲେ । ମ୍ୟାଚକୁ ଫେରିବାକୁ ମରକ୍କୋ ପାଖରେ ଆଉ ସମୟ ନଥିଲା ଫଳରେ ଦ୍ବିତୀୟ ସେମି ଫାଇନାଲକୁ ୨-୦ରେ ଜିତି ନେଇଥିଲା ଫ୍ରାନ୍ସ । ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିବାକୁ ସ୍ବପ୍ନ ଦେଖିଥିବା ମରକ୍କୋକୁ ନିରାଶ ହେବାକୁ ପଡିଥିଲା । ସବୁ ଆଶା ପାଣି ଫୋଟକା ପରି ମିଳେଇ ଯାଇଥିଲା । ଫିଫା ବିଶ୍ବକପରେ ତୃତୀୟ ସ୍ଥାନ ପାଇଁ କ୍ରୋଏସିଆ ଓ ମରକ୍କୋ ମଧ୍ୟରେ ମୁକାବିଲା ହେବ ।