ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ସହ କୋଭିଡ୍ ଟିକା ସ୍ପୁଟନିକ୍-ଭି ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଭାରତରେ କୋଭିଡ୍-୧୯ର ଦ୍ୱିତୀୟ ଲହରୀ ପରିପ୍ରେକ୍ଷୀରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଛି। ରୁଷିଆ ଇତିମଧ୍ୟରେ କୋଭିଡ୍ ଲଢ଼େଇରେ ଭାରତକୁ ସହଯୋଗ କରିଥିବାରୁ ପୁଟିନଙ୍କୁ ମୋଦୀ ଧନ୍ୟବାଦ ଦେଇଛନ୍ତି। ମୋଦୀ ଏ ସମ୍ପର୍କରେ ଟ୍ୱିଟ୍ କରି କହିଛନ୍ତି, ଆମେ ସ୍ପୁଟନିକ୍-ଭି ସମ୍ପର୍କରେ ବିଷଦ ଆଲୋଚନା କରିଛୁ। ଏହି ପ୍ରତିଶେଧକ ଟିକା ଦୁଇ ଦେଶର ଭାଗିଦାରୀରେ ଅଧିକ ମାତ୍ରାରେ ଉତ୍ପାଦନ କରି ବିଶ୍ୱରେ କରୋନା ଲଢ଼େଇରେ ସହାୟତା କରିବାକୁ ଆମେ ନିଷ୍ପତ୍ତି ନେଇଛୁ।
ମୋଦୀ ଅନ୍ୟ ଏକ ଟ୍ୱିଟରେ କହିଛନ୍ତି, ଉଭୟ ଦେଶ ସେମାନଙ୍କ ରଣନୀତିକ ଭାଗିଦାରୀକୁ ଆହୁରି ଦୃଢ଼ କରିବା ପାଇଁ ସ୍ଥିର କରିଛୁ। ଦୁଇ ଦେଶ ମଧ୍ୟରେ ୨+୨ ମନ୍ତ୍ରିସ୍ତରୀୟ କଥାବାର୍ତ୍ତା ପାଇଁ ସ୍ଥିର ହୋଇଛି। ଏହି କଥାବାର୍ତ୍ତାରେ ଦୁଇ ଦେଶର ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀ ଅଂଶଗ୍ରହଣ କରିବେ। କେବଳ ସେତିକି ନୁହେଁ ବିଭିନ୍ନ ଦ୍ୱିପାକ୍ଷିକ ସହଯୋଗ ପ୍ରସଙ୍ଗ ଉପରେ ମଧ୍ୟ ଆମେ ଦୁଇ ନେତା ସମୀକ୍ଷା କରିଛୁ ବୋଲି ମୋଦୀ ଉଲ୍ଲେଖ କରିଛନ୍ତି। ଅକ୍ଷୟ ଶକ୍ତି, ହାଇଡ୍ରୋଜେନ ଅର୍ଥନୀତି ଏବଂ ମହାକାଶ ଗବେଷଣା କ୍ଷେତ୍ରରେ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ ଜାରି ରଖିବାକୁ ସ୍ଥିର ହୋଇଛି। ସ୍ପୁଟନିକ୍-ଭି ଟିକା ସମ୍ପର୍କରେ ମୋଦୀ କହିଛନ୍ତି, ଆମେ ମିଳିତ ଭାବେ ଏହି ଟିକା ଉତ୍ପାଦନ କରିବୁ। ଗତ ଏପ୍ରିଲ ୧୨ତାରିଖରେ ରୁଷିଆ ନିର୍ମିତ ଏହି ଟିକା ଭାରତରେ ବ୍ୟବହାର ପାଇଁ ବିଶେଷଜ୍ଞ କମିଟି ଅନୁମୋଦନ କରିଥିଲା। ରୁଷିଆର ପ୍ରତ୍ୟକ୍ଷ ପୁଞ୍ଜିନିବେଶ ପାଣ୍ଠି (ଆରବିଆଇଏଫ୍) ଭାଗିଦାରୀରେ ଡକ୍ଟର ରେଡ୍ଡି’ସ ଭିରଚୋ ବାୟୋଟେକ୍ ପ୍ରାଇଭେଟ୍ ଲିଃ, ଷ୍ଟେଲିସ ବାୟୋଫାର୍ମା ପ୍ରାଇଭେଟ୍ ଲିଃ ଓ ପାନାସିଆ ବାୟୋଟେକ୍ ଅଧିକ ୭୦ କୋଟି ସ୍ପୁଟନିକ୍ ଡୋଜ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛନ୍ତି।