ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷ ରାଷ୍ଟ୍ରପତି ବ୍ଲାଦମିର ପୁତିନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଏହି ସମୟରେ ଉଭୟ ନେତା ଦ୍ୱିପାକ୍ଷିକ ବ୍ୟାପାର ଓ ବିଭିନ୍ନ ବୈଶ୍ୱିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନର ବର୍ତ୍ତମାନ ସ୍ଥିତି ଓ କୂଟନୈତିକ ପକ୍ଷରେ ଭାରତର ଦୀର୍ଘ ଦିନରୁ ଚାଲିଥିବା ରୂପରେଖକୁ ଦର୍ଶାଇଛନ୍ତି ।
ସୂଚନାଯୋଗ୍ୟ, ଗତ ବର୍ଷ ଡିସେମ୍ବରରେ ପୁତିନ ଭାରତ ଆସିଥିଲେ । ଏହି ସମୟରେ ମୋଦୀ ଓ ପୁତିନ ଉଭୟ ଦେଶ ମଧ୍ୟରେ ଦୀର୍ଘ ବର୍ଷରୁ ଥିବା ପୁରୁଣା ସମ୍ପର୍କକୁ ବଢ଼ାଇବା ପାଇଁ ପ୍ରଥମ ‘୨+୨’ ମନ୍ତ୍ରୀସ୍ତରୀୟ ଆଲୋଚନା କରିଥିଲା । ଏହି ପରିପ୍ରେକ୍ଷୀରେ ମୋଦୀ କହିଥିଲେ ଯେ, ବିଗତ ବର୍ଷରେ ସମଗ୍ର ବିଶ୍ୱରେ ଅନେକ ପରିବର୍ତ୍ତନ ଘଟିଛି ଏବଂ ବିଭିନ୍ନ ପ୍ରକାର ଭୂ-ରାଜନୈତିକ ସମୀକରଣ ବଦଳିଛି କିନ୍ତୁ ଋଷ ଓ ଭାରତ ସମ୍ପର୍କ ସ୍ଥିର ରହିଛି । ଭାରତ ଓ ଋଷ ମଧ୍ୟରେ ଥିବା ସମ୍ପର୍କ ବାସ୍ତବରେ ଅନ୍ତରାଷ୍ଟ୍ରୀୟ ମିତ୍ରତାର ଏକ ଭିନ୍ନ ଓ ବିଶ୍ୱସନୀୟ ମଡେଲ ।