ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ଶିରୋମଣୀ ଅକାଳୀ ଦଳ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଲାଗି ସମର୍ଥନ ଘୋଷଣା କରିଛି । ଅକାଳୀ ଦଳର ଅଧ୍ୟକ୍ଷ ସୁଖବୀର ସିଂହ ବାଦଲ କହିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ ଦିଆଯିବ ସେନେଇ ପାର୍ଟିରେ ଆଲୋଚନା ହୋଇଥିଲା । ଏଥିରେ ଆମେ ଆମର ସମସ୍ତ ରାଜନୈତିକ ମତଭେଦକୁ ଭୁଲି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛୁ । କୃଷି ଆଇନ ଓ ଚାଷୀଙ୍କ ପ୍ରସଙ୍ଗକୁ ନେଇ ବିଜେପି ସହ ଆମର ମତଭେଦ ରହିଥିଲେ ମଧ୍ୟ ଆମ ପାର୍ଟି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ । ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ଦେବାକୁ ନେଇ ଆଜି ଦ୍ରୌପଦୀ ମୁର୍ମୁ ଓ ଜେପି ନଡ୍ଡାଙ୍କ ଫୋନ ଆସିଥିଲା ।
ଅକାଳୀ ଦଳର ଅଧ୍ୟକ୍ଷ ସୁଖବୀର ସିଂହ ବାଦଲ ଆହୁରି କହିଛନ୍ତି ଯେ, ଅକାଳୀ ଦଳ କେବେ ବି କଂଗ୍ରେସ ସମର୍ଥିତ ପ୍ରାର୍ଥୀକୁ ସମର୍ଥନ କରିପାରିବ ନାହିଁ । କାହିଁକିନା କଂଗ୍ରେସ ଶିଖକୁ ବିରୋଧ କରିଥାଏ । ସେଥିପାଇଁ ଆମେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛୁ । ଅକାଳୀ ଦଳ ସର୍ବଦା ପଛୁଆ ବର୍ଗଙ୍କୁ ସମର୍ଥନ କରିଥାଏ ।