ପ୍ରଥମ ଅଡିଟ୍ ଦିବସରେ ସିଏଜି ଅଫିସ ପହଂଚିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଅଡିଟ୍ ଦିବସରେ ସିଏଜି ଅଫିସ ପହଂଚିଛନ୍ତି । ଏହି ଅବସରରେ ସରଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମା ମଧ୍ୟ ଉଦଘାଟନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ, ଏକ ସଂସ୍ଥା ରୂପେ ସିଏଜି ଦେଶର ଖାତାର ହିସାବ କିତାବ ଯାଞ୍ଚ କରିବା ସହ ଉତ୍ପାଦନ କ୍ଷମତାର ମୂଲ୍ୟ ମଧ୍ୟ ବଢ଼ାଇଥାଏ । ଏହାସହ ଜଡ଼ିତ କାର୍ଯ୍ୟକ୍ରମ ଆମର ଚିନ୍ତନ ଓ ମନ୍ଥନ ସୁଧାରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ସିଏଜି ଭାରତର ଏକ ଉତ୍ତରାଧିକାରୀ ହୋଇଥିବାରୁ ପ୍ରତ୍ୟେକ ପୀଢ଼ୀ ଏହାକୁ ବୁଝିବା ଉଚିତ । ଏମିତି ବହୁତ କମ୍ ସଂସ୍ଥା ରହିଛି ଯଏକି ସମୟ ସହ ଅଧିକ ସୁଦୃଢ଼, ପ୍ରାସଙ୍ଗିକ ଓ ପରିପକ୍ୱ ହୋଇଥାନ୍ତି ।

ମୋଦୀ ଆହୁରି କହିଛନ୍ତି ଯେ, ଏକଦା ସମୟ ଥିଲା ଯେତେବେଳେ ଅଡିଟକୁ ଆଶଙ୍କା ଓ ଭୟ ରୂପେ ଦେଖାଯାଉଥିଲା । କିନ୍ତୁ ଆଜି ଏହି ଚିନ୍ତାଧାରାରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଜି ଅଡିଟକୁ ମୂଲ୍ୟ ବୃଦ୍ଧିର ମହତ୍ତ୍ୱପୂର୍ଣ୍ଣ ଅଂଶ ଭାବେ ଗ୍ରହଣ କରାଯାଉଛି ।