କରୋନା ମୃତକଙ୍କ ପାଇଁ ଶ୍ୱେତପତ୍ର ପ୍ରକାଶ ହେଉ: ମୋହନ ମାଝୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଓଡ଼ିଶାରେ କରୋନା ମୃତକଙ୍କ ପ୍ରକୃତ ସଂଖ୍ୟା ସରକାର ଦେଉନାହାନ୍ତି। ବାସ୍ତବ ମୃତ୍ୟୁ ସଂଖ୍ୟାକୁ ଲୁଚାଯାଇ ବିଭ୍ରାନ୍ତିକର ଏବଂ ଭୁଲ ସଂଖ୍ୟା ପ୍ରଦାନ କରାଯାଉଛି। ଏଥିଯୋଗୁଁ, କରୋନାରେ ବାପା ମା’ଙ୍କୁ ହରାଇଥିବା ବହୁ ଅନାଥ ଶିଶୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏଭଳି ଅଭିଯୋଗ ଆଣିବା ସହ ସରକାର ଶ୍ୱେତପତ୍ର ଜାରିକରି ପ୍ରକୃତ କରୋନା ମୃତକଙ୍କ ପରିସଂଖ୍ୟାନ ରାଜ୍ୟବାସୀଙ୍କ ଆଗରେ ରଖନ୍ତୁ ବୋଲି ବିରୋଧୀଦଳ ମୁଖ୍ୟ ସଚେତକ ବିଧାୟକ ମୋହନ ମାଝୀ ଦାବି କରିଛନ୍ତି। ଏହି ଦାବି ସହ ୩ଟି ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପିର ବିଧାୟକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଚିଠି ଲେଖିଛନ୍ତି।

ଏହି ଚିଠିରେ କରୋନା ମୃତକଙ୍କ ପ୍ରକୃତ ସଂଖ୍ୟା ଜାଣିବା ପାଇଁ ଶ୍ୱେତପତ୍ର ଜାରି, ବିପର୍ଯ୍ୟୟ ପରିଚାଳନା ଅଧିନିୟମ ୨୦୦୫ ଅନୁଯାୟୀ କରୋନାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ସହାୟତା ପ୍ରଦାନ ଏବଂ ଓଡ଼ିଶାରେ କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ଦାବି କରିଛନ୍ତି ବିଜେପି ବିଧାୟକ। ଏନେଇ ଶ୍ରୀ ମାଝୀ କହିଛନ୍ତି ଯେ ରାଜ୍ୟ ସରକାର ୨୦୨୦ ମାର୍ଚ୍ଚ ୧୩ ତାରିଖରେ କରୋନା ମହାମାରୀକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଥିଲେ। ଏଣୁ ଆସାମ, ରାଜସ୍ଥାନ ଏବଂ ବିହାର ଭଳି ଓଡ଼ିଶାରେ କରୋନାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ପରିବାରକୁ ମଧ୍ୟ ସହାୟତା ଦିଅନ୍ତୁ। ଅନ୍ୟପଟେ ମୃତକଙ୍କ ସଂଖ୍ୟା ସରକାର ଯେ ଲୁଚାଉଛନ୍ତି ଏ କଥା ସମସ୍ତେ ଜାଣିସାରିଲେଣି। ଏଣୁ ବିଳମ୍ବ ନକରି ଏଥିପାଇଁ ଶ୍ୱେତପତ୍ର ଜାରି ହେଉ।

ଅନ୍ୟପଟେ କରୋନାର ମୁକାବିଲାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଏହାର ବଡ଼ କାରଣ ହେଲା ଓଡ଼ିଶାରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ନାହିଁ। ଏହାସହ ରାଜ୍ୟର ସବୁ ଗୁରୁତର ରୋଗୀଙ୍କୁ ଉନ୍ନତ ଚିକିତ୍ସା ମିଳିପାରୁନି। ଏ ଦୃଷ୍ଟିରୁ ରାଜ୍ୟ ସରକାର କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶାରେ ଲାଗୁ କରିବା ଦରକାର। କେନ୍ଦ୍ର ସରକାରଙ୍କ ଟଙ୍କାରେ ଓଡ଼ିଶାବାସୀଙ୍କୁ ଭଲ ଚିକିତ୍ସା ସେବା ମିଳିପାରିବ। ଏଥିସହ ରାଜ୍ୟ ସରକାରଙ୍କ ନିଜସ୍ୱ ସ୍ୱାସ୍ଥ୍ୟ ଯୋଜନାର ଅର୍ଥ ବଞ୍ଚିବ ଯାହାକୁ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣରେ ଖର୍ଚ୍ଚ କରାଯାଇପାରିବ ବୋଲି ଶ୍ରୀ ମାଝୀ ଯୁକ୍ତି ରଖିଛନ୍ତି। ଶ୍ରୀ ମାଝୀଙ୍କ ସମେତ ବିଜେପି ବିଧାୟକ ନାଉରୀ ନାଏକ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁବାସ ପାଣିଗ୍ରାହୀ, ଶଙ୍କର ଓରାମ, ଡ.ମୁକେଶ ମହାଲିଙ୍ଗ, ଭବାନୀ ଭୋଇ, ଡ.ବୁଧାନ ମୁର୍ମୁ, ନବଚରଣ ମାଝୀ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏସବୁ ଦାବି ଜଣାଇଛନ୍ତି।