କାଲି କରୋନା ସମୀକ୍ଷା ବୈଠକ କରିବେ ମୋଦୀ

ନୂଆଦିଲ୍ଲୀ: ଭାରତରେ ଓମିକ୍ରନ୍ ମାମଲା ୨୧୪କୁ ବୃଦ୍ଧି ପାଇଛି। ଏହିକ୍ରମରେ ଦେଶରେ  କରୋନା ସ୍ଥିତିର ସମୀକ୍ଷା କରିବା ପାଇଁ ମୋଦୀ ଆସନ୍ତାକାଲି ସମୀକ୍ଷା ବୈଠକ ଡକାଇଛନ୍ତି।

ଦେଶରେ ବଢ଼ୁଥିବା ଓମିକ୍ରନ୍ ମାମଲାକୁ ନେଇ କେନ୍ଦ୍ର ସରକାର ଚିନ୍ତା ବ୍ୟକ୍ତ କରିଛନ୍ତି।    ସେଥିପାଇଁ ଓମିକ୍ରନ୍ ସଂକ୍ରମଣକୁ ରୋକିବା ପାଇଁ ପଦକ୍ଷେପ ନେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି। ଏଥିରେ ଡେଲ୍ଟା ଭ୍ୟାରିଏଣ୍ଟ ତୁଳନାରେ ଓମିକ୍ରନ୍ ୩ଗୁଣା ଅଧିକ ସଂକ୍ରମକ ବୋଲି ଉଲ୍ଲେଖ କରାଯାଇଛି। ସ୍ଥାନୀୟ ଓ ଜିଲ୍ଲାସ୍ତରରେ ଆହୁରି ଅଧିକ ଦୂରଦର୍ଶିତା, ଡାଟା ବିଶ୍ଳେଷଣ, ତୁରନ୍ତ ପଦକ୍ଷେପ, ଶକ୍ତ ଓ ଦ୍ରୁତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି କୁହାଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଦେଶରେ ୨୧୪ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରୁ ୯୦ଜଣ ଠିକ ହୋଇ ଘରକୁ ଫେରିଛନ୍ତି। ଅନ୍ୟପଟେ ଦିଲ୍ଲୀ ଓ ମହାରାଷ୍ଟ୍ରରେ ସର୍ବାଧିକ ୫୪ ଆକ୍ରାନ୍ତ ରହିଥିବାବେଳେ ତେଲେଙ୍ଗାନାରେ ୨୪, କର୍ଣ୍ଣାଟକରେ ୧୯, ରାଜସ୍ଥାନରେ ୧୮,  କେରଳରେ ୧୫, ଗୁଜରାଟରେ ୧୪, ଜମ୍ମୁ-କଶ୍ମୀରରେ ୩, ଓଡ଼ିଶା, ଆନ୍ଧ୍ର ଓ ୟୁପିରେ ୨ ଲେଖାଏଁ, ଚଣ୍ଡୀଗଡ଼, ଲଦାଖ, ତାମିଲନାଡ଼ୁ ଓ ପଶ୍ଚିମବଙ୍ଗରେ ଜଣେ ଲେଖାଏଁ ରହିଛନ୍ତି।