ମୋଦୀ, ଶାହଙ୍କ ବିରୋଧରେ ଆଗତ ମାମଲା, ଆମେରିକା ଅଦାଲତରେ ଖାରଜ

ୱାଶିଂଟନ, ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ୍ଙ୍କ ବିରୋଧରେ ଆଗତ ୧୦ କୋଟି ଡଲାର ମୂଲ୍ୟର ମାନହାନି ମକଦ୍ଦମାକୁ ଆମେରିକାର ଏକ ଅଦାଲତ ମଙ୍ଗଳବାର ଖାରଜ କରିଦେଇଛନ୍ତି। ଗତବର୍ଷ ମୋଦୀଙ୍କ ଆମେରିକା ଗସ୍ତର ଅବ୍ୟବହିତ ପୂର୍ବରୁ ଅର୍ଥାତ ୨୦୧୯ ସେପ୍ଟେମ୍ବର ୧୯ରେ ‘କଶ୍ମୀର ଖଲିସ୍ତାନ ରେଫରେଣ୍ଡମ ଫ୍ରଣ୍ଟ‘ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଥିଲା। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇବା ଏବଂ ଏହି ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିଥିବା କାରଣରୁ ଆମେରିକାର ଟେକ୍ସାସସ୍ଥିତ ଏକ ଅଦାଲତରେ ମୋଦୀ ଓ ଶାହଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଏ ବାବଦରେ ୧୦ କୋଟି ଡଲାର କ୍ଷତିପୂରଣ ଦାବି କରାଯାଇ ମୋଦୀ, ଶାହ ଓ ଲେଫ୍ଟନାଣ୍ଟ ଜେନେରାଲ କନୱାଲ ସିଂହ ଧିଲନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଧିଲନ ବର୍ତ୍ତମାନ ପ୍ରତିରକ୍ଷା ଗୁଇନ୍ଦା ବିଭାଗର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି। ତେବେ ଦୁଇ ଦୁଇ ଥର ସମନ ଜାରି କରାଯାଇଥିବା ସତ୍ତେ୍ୱ ଏହି ସଂଗଠନର କୌଣସି ପ୍ରତିନିଧି ଅଦାଲତରେ ଉପସ୍ଥିତ ନ ହେବାରୁ ବିଚାରପତି ଫ୍ରାନସିସ୍ ଷ୍ଟାସି ମାମଲାକୁ ଖାରଜ କରିଥିବା ଜଣାପଡିଛି। ଉକ୍ତ ଫ୍ରଣ୍ଟ ବ୍ୟତୀତ ଆଉ ଦୁଇଟି ସଂଗଠନ ଯଥା ‘ଟିଏଫକେ’ ଓ ‘ଏସଏମଏସ୍’ ମଧ୍ୟ ଏହି ମାମଲାରେ ପକ୍ଷଭୁକ୍ତ ଥିଲେ।
ସୂଚନାଯୋଗ୍ୟ ଗତବର୍ଷ ଆମେରିକା ଗସ୍ତ ସମୟରେ ତତ୍କାଳୀନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ସହ ମୋଦୀ ହୋଷ୍ଟନରେ ସେପ୍ଟେମ୍ବର ୨୨ରେ ଆୟୋଜିତ ‘ହାଓ ଡି ମୋଦୀ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏଥିରେ ୫୦,୦୦୦ରୁ ଊଦ୍ଧ୍ୱର୍ ଭାରତୀୟ ଓ ଆମେରିକୀୟ ନାଗରିକ ଉପସ୍ଥିତ ଥିଲେ। ୨୦୨୦ ଫେବୃଆରୀ ୧୮ରେ ଫ୍ରଣ୍ଟ ପକ୍ଷରୁ ମାମଲା ଲଢୁଥିବା ଗୁରପତୱନ୍ତ ସିଂହ ପାନୁନ୍ ହୋଷ୍ଟନସ୍ଥିତ ଭାରତର ବାଣିଜ୍ୟିକ ଦୂତାବାସରେ ମୋଦି, ଶାହ୍ ଓ ଧିଲନଙ୍କ ବିରୋଧରେ ଆଗତ ସମନ ଦାଖଲ କରିଥିଲେ। ମାମଲାର ଶୁଣାଣି ପାଇଁ ଅଦାଲତଙ୍କ ପକ୍ଷରୁ ଚଳିତବର୍ଷ ଅଗଷ୍ଟ ୨ ଓ ଅକ୍ଟୋବର ୬ରେ ବୈଠକ ଡକାଯାଇଥିଲେ ସୁଦ୍ଧା ଫ୍ରଣ୍ଟର କୌଣସି ପ୍ରତିନିଧି କିମ୍ବା ସେମାନଙ୍କ ଓକିଲ ଉପସ୍ଥିତ ରହିନଥିଲେ। ଏହାର ଦୁଇ ସପ୍ତାହ ପରେ ବିଚାରପତି ମାମଲାକୁ ଖାରଜ କରିଦେଇଛନ୍ତି।