ବିମାନରେ ମିଳିବ ମୋବାଇଲ୍ ସେବା

ନୂଆଦିଲ୍ଲୀ,ଏଜେନ୍ସି: ସାରା ବିଶ୍ୱରେ ଅଧିକ ଡାଟା ବ୍ୟବହାର କରୁଥିବା ଦେଶ ହେଉଛି ଭାରତ। ଇଣ୍ଟରନେଟ୍ ସେବା ଦେଶର କୋଣ ଅନୁକୋଣରେ ପହଞ୍ଚିବା ପରେ ଡାଟା ବ୍ୟବହାର ବଢିଯାଇଛି। ମାତ୍ର ଆକାଶରେ ଇଣ୍ଟରନେଟ୍ ବ୍ୟବହାର ଏବେବି ଅସମ୍ଭବ ରହିଛି। ମାତ୍ର ଆଗାମୀ ଦିନରେ ଭାରତୀୟ ଆକାଶରେ ମଧ୍ୟ ଇଣ୍ଟରନେଟ୍ ବ୍ୟବହାର ହୋଇପାରିବ। ପ୍ରମୁଖ ଭାରତୀୟ ଏୟାରଲାଇନ୍ ସ୍ପାଇସ୍ ଜେଟ୍ କହିଛି ଯେ, ଖୁବ୍ ଶୀଘ୍ର ବିମାନରେ ବ୍ରଡବ୍ୟାଣ୍ଡ ସେବା ଉପଲବ୍ଧ କରାଇବାର ଆଶା କରାଯାଉଛି।

ସ୍ପାଇସ୍ ଜେଟ୍‌ର ଚେୟାରମ୍ୟାନ ଅଜୟ ସିଂହ କହିଛନ୍ତି ଯେ, ଏୟାରଲାଇନ୍ ତାର ବିମାନରେ ଖୁବ୍ ଶୀଘ୍ର ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା ଆରମ୍ଭ କରିବ। ସେ ଆହୁରି କହିଛନ୍ତି ଯେ, କମ୍ପାନୀ ଆଗାମୀ କିଛି ମାସ ମଧ୍ୟରେ ନିଜ ବିମାନରେ ବୋଇଂ-୭୩୭ ମ୍ୟାକ୍ସ ବିମାନକୁ ସାମିଲ କରିବ। ସ୍ପାଇସଜେଟ୍‌ର ୱେବ୍‌ସାଇଟ୍ ଅନୁସାରେ ଏୟାରଲାଇନ୍ ନିକଟରେ ୯୨ଟି ବିମାନ ରହିଛି। ଯେଉଁଥିରେ ୧୩ ମ୍ୟାକ୍ସ ବିମାନ ଏବଂ ୪୬ ବୋଇଂ-୭୩୭ ବିମାନ ପୁରୁଣା ଭର୍ସନ ରହିଛି। ସେ ଆହୁରି କହିଛନ୍ତି ଯେ, ସ୍ପାଇସଜେଟ୍ ମାସିକ ଆଧାରରେ ଅଧିକ ଯାତ୍ରୀଙ୍କ ସହ ଉଡାଣ ଭରୁଛି। ଆଗାମୀ ମାସରେ ଏଥିରେ ବୃଦ୍ଧି ହେବାର ଆଶା କରାଯାଉଛି।

ବୋଇଂ ୭୩୭ ମ୍ୟାକ୍ସ ବିମାନ ସଫଳତାର ସହ ସେବାକୁ ଫେରିଛି। ଚଳିତ ବର୍ଷ ଆମ ନେଟୱର୍କରେ ନୂଆ ଉତ୍ପାଦ ଏବଂ ନୂଆ ମାର୍ଗକୁ ସାମିଲ କରିବାକୁ ଯାଉଛୁ। ଆମ ଲୟାଲ୍‌ଟି କାର୍ଯ୍ୟକ୍ରମ ସ୍ପାଇସ୍ କ୍ଲବ୍ ନିକଟରେ ତାର କ୍ରେଡିଟ୍ କାର୍ଡ ଜାରି କରିଛି। ଆମେ ଆଶା କରୁଛୁ ଯେ ଖୁବ୍ ଶୀଘ୍ର ଆମ ବିମାନରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା ଆରମ୍ଭ ହୋଇଯିବ।