ମୋବାଇଲ ଓ ଟଙ୍କା ଲୁଟି ୪ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଭୁର୍କାମୁଣ୍ଡାସ୍ଥିତ ଶିବକିର୍ତ୍ତୀ କମ୍ପାନୀ କ୍ୟାମ୍ପରୁ ୨ଟି ମୋବାଇଲ ଓ ୨ ହଜାର ଟଙ୍କା ଲୁଟ ଅଭିଯୋଗରେ ୪ ଜଣଙ୍କୁ ବଡ଼ମାଲ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ଶନିଶ୍ଚର ଓରାମ, ମିଶ୍ର ଓରାମ, ଜୟଦେବ ଓରାମ ଓ ଗୋବିନ୍ଦ ମିର୍ଗ ବୋଲି ବଡ଼ମାଲ ଥାନାଧିକାରୀ ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, ଆଲୁନିମିୟମ, କପର ଓ କେବୁଲ ଚୋରି କରିବା ଉଦ୍ଦେଶ୍ୟରେ ଗତ ୨୮ ତାରିଖ ରାତିରେ ଏହି ୪ଜଣ ଅଭିଯୁକ୍ତ ଶିବକିର୍ତ୍ତୀ କମ୍ପାନୀ କ୍ୟାମ୍ପକୁ ଯାଇଥିଲେ। ସେସମୟରେ କମ୍ପାନୀର ସୁପରଭାଇଜର ଏବଂ ଜଣେ ପକଲିନ ଅପରେଟର ଉଠି ପଡ଼ିବାରୁ ଅଭିଯୁକ୍ତମାନେ ତାର ଚୋରି କରିପାରି ନଥିଲେ। ହେଲେ ବନ୍ଧୁକ ଓ ଲୁହା ରଡ଼ ଦେଖାଇ ସେମାନଙ୍କଠାରୁ ୨ଟି ଫୋନ ଓ ୨ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ଏନେଇ କମ୍ପାନୀ ସୁପରଭାଇଜର ଅନ୍ତର୍ଯ୍ୟାମୀ ପାଢ଼ୀ ଗତ ୨୯ ତାରିଖ ବଡ଼ମାଲ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସ ପ୍ରଥମେ ଲୁଟ ହୋଇଥିବା ମୋବାଇଲକୁ ଟ୍ରାକ କରିବାରୁ ଏକ ମୋବାଇଲ ଅଷ୍ଟମି ଓରାମ ନାମକ ଜଣେ ଯୁବତୀଙ୍କ ପାଖରେ ଥିବା ଜାଣିବାକୁ ପାଇଲା। ଅଷ୍ଟମୀକୁ ପୁଲିସ ପଚରାଉଚୁରା କରିବାରୁ ସେ ଫୋନକୁ ଶନିଶ୍ଚର ଓରାମ ଏବଂ ତାଙ୍କ ସାଙ୍ଗମାନଙ୍କଠାରୁ କିଣିଥିବା ପ୍ରକାଶ କରିଥିଲେ। ପରେ ପୁଲିସ ଶନିଶ୍ଚର ଓ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କଠାରୁ ୨ଟି ମୋବାଇଲ ଫୋନ ଓ ୨ ହଜାର ଟଙ୍କା ସହ ଲୁଟରେ ବ୍ୟବହୃତ ହୋଇଥିବା ନକଲି ବନ୍ଧୁକ, ଲୁହାରଡ ଓ ଏକ ଟିଭିଏସ ଆପାଚି ମୋଟର ସାଇକେଲକୁ ଜବତ କରିଥିଲା।

ପ୍ରକାଶଯୋଗ୍ୟ, ଏହି ଅଭିଯୁକ୍ତମାନେ ବଡ଼ମାଲ ଥାନା ଅଞ୍ଚଳର ଏକ ମନ୍ଦିରରୁ ଟାଇଲ ଚୋରି କରି ଗତ ୧ ତାରିଖରେ ଗିରଫ ହୋଇ ୪ ତାରିଖ ଜାମିନରେ ଆସିଥିଲେ। ଏହାସହ ଅଭିଯୁକ୍ତ ଶନିଶ୍ଚର ଓରାମ ଓ ଜୟଦେବ ଓରାମ ପୂର୍ବରୁ ହତ୍ୟା ଅଭିଯୋଗରେ ମଧ୍ୟ ଗିରଫ ହୋଇଥିବା ବଡ଼ମାଲ ଥାନାଧିକାରୀ ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି।