ବେଲପାହଡ଼ରେ ଜଳ ଯୋଗାଣ ସମୀକ୍ଷା କଲେ ବିଧାୟକ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି ବେଲପାହାଡ଼ ପୌରାଞ୍ଚଳରେ ପାନୀୟ ଜଳ ଯୋଗାଣ କାର୍ଯ୍ୟର ଆଜି ସମୀକ୍ଷା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ପୌର କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଉପଜିଲ୍ଲାପାଳ ଶିବ ଟପ୍ପୋ, ଲଖନପୁର ତହସିଲଦାର ବିଶ୍ୱକେସନ ପାଣ୍ଡେ, ବେଲପାହାଡ଼ ପୌରପରିଷଦ ଅଧିକାରୀ ଲୋକନାଥ ତିୱାରୀ, ପିଏଚଡି ଅଧିକାରୀ, ଏମସିଏଲ ଓ ଟିଆରଏଲର ଅଧିକାରୀମାନେ ଉପସ୍ଥିତ ଥିଲେ। ବେଲପାହାଡ଼ର ବିଭିନ୍ନ ଓାର୍ଡରେ ଖରା ଦିନରେ ପିଇବା ପାଣିର ଉତ୍କଟ ସମସ୍ୟା ଦେଖାଦିଏ। ଲୋକେ ପିଇବା ପାଣି ବୁନ୍ଦାଏ ପାଇବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ତେବେ ଚଳିତ ବର୍ଷ ଏଠାରେ ଜଳାଭାବ ପୂର୍ବରୁ କିପରି ଲୋକଙ୍କ ପାଖକୁ ପାଣିି ଯୋଗାଯିବ ତା’ର ବ୍ୟବସ୍ଥା କରିବା ପାଇଁ ଆଜି ବିଧାୟକ ଶ୍ରୀ ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି। ଖରାଦିନେ ଜଳାଭାବ ଦେଖା ଦେଉଥିବା ବେଲପାହାଡ଼ର ସମସ୍ତ ଅଞ୍ଚଳରେ ଟେଙ୍କର ଯୋଗେ ଜଳ ଯୋଗାଣ, ବନ୍ଦ ପଡ଼ିଥିବା ନଳକୂପ, ଖରାପ ହୋଇପଡ଼ିଥିବା ପାଣି ଟାଙ୍କିଗୁଡ଼ିକ ଆଦିର ଶୀଘ୍ର ମରାମତି କରିବା ପାଇଁ ଶ୍ରୀ ମହାନ୍ତି କହିଛନ୍ତି। ସେହିପରି ପ୍ରତ୍ୟେକ ୱାର୍ଡ ଅଫିସରଙ୍କୁ ଲୋକଙ୍କ ସହ ତୃଣମୂଳସ୍ତରରେ ଯୋଗାଯୋଗ ରଖି ଜଳାଭାବର ଅଭିଯୋଗ ମିଳିବା କ୍ଷଣି ପୌରପରିଷଦ, ପିଏଚଇଡି, ଟିଆରଏଲ କ୍ରୋସାକି, ଗ୍ଲୋବାଲ କୋଲ ଓାସରି ଓ ଆରସିପି ପକ୍ଷରୁ ତୁରନ୍ତ ପାଣି ଯୋଗାଇବାର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।